ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ, ୧୫ ଫେବୃଆରୀରେ କୋଲମ୍ବୋରେ ହେବ ମ୍ୟାଚ୍

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନେଇ ଚାଲିଥିବା ସନ୍ଦେହ ଏବେ ସମାପ୍ତ ହୋଇଛି। ପାକିସ୍ତାନ ଶେଷରେ ଭାରତ ବିପକ୍ଷରେ ଖେଳିବାକୁ ସମ୍ମତି ପ୍ରକାଶ କରିଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ହାଇଭୋଲଟେଜ୍ ମ୍ୟାଚ୍ ୧୫ ଫେବୃଆରୀରେ ଶ୍ରୀଲଙ୍କାର କୋଲମ୍ବୋ ସ୍ଥିତ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଲାହୋରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନ ଏହି ସିଦ୍ଧାନ୍ତ ନେଇଛି। ଏହି ବୈଠକରେ ପାକିସ୍ତାନ ଓ ବାଂଲାଦେଶ ଆଇସିସି ସମ୍ମୁଖରେ କିଛି ଦାବି ରଖିଥିଲେ, ଯାହାମଧ୍ୟରୁ କିଛି ଦାବିକୁ ଆଇସିସି ଗ୍ରହଣ କରିଛି।

ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶକୁ ପୂର୍ବରୁ ଟି-୨୦ ବିଶ୍ୱକପ୍ ୨୦୨୬ରୁ ବାଦ ଦିଆଯାଇଥିଲା। ଲାହୋର ବୈଠକରେ ଦାବି ରଖାଯାଇଥିଲା ଯେ, ବିଶ୍ୱକପ୍‌ରୁ ବାଦ ପଡ଼ିଥିଲେ ମଧ୍ୟ ବାଂଲାଦେଶକୁ ଯଥୋଚିତ କ୍ଷତିପୂରଣ ଦିଆଯାଉ। ଏହାକୁ ଆଇସିସି ମାନ୍ୟତା ଦେଇଛି। କ୍ଷତିପୂରଣ ସ୍ୱରୂପ ବାଂଲାଦେଶକୁ ଅଣ୍ଡର-୧୯ ବିଶ୍ୱକପ୍ ଏବଂ ମହିଳା ବିଶ୍ୱକପ୍ କ୍ରିକେଟ୍ ଆୟୋଜନର ସୁଯୋଗ ମିଳିପାରେ।ଅନ୍ୟପଟେ, ପାକିସ୍ତାନ ଆଇସିସି ରାଜସ୍ୱରେ ନିଜ ଅଂଶ ବୃଦ୍ଧି କରିବାକୁ ମଧ୍ୟ ଦାବି କରିଥିଲା। ବର୍ତ୍ତମାନ ପିସିବିକୁ ଆଇସିସି ରାଜସ୍ୱରୁ ପ୍ରାୟ ୫.୭୫ ପ୍ରତିଶତ ଅଂଶ ମିଳୁଥିବା ବେଳେ, ଏହାର ଆର୍ଥିକ ମୂଲ୍ୟ ପ୍ରାୟ ୩୪–୩୫ ମିଲିୟନ ଡଲାର ବୋଲି ଆକଳନ କରାଯାଉଛି। ଏହି ଦାବି ଉପରେ ଆଇସିସି ବିଚାର କରିବାକୁ ସମ୍ମତ ହୋଇଛି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ପୁନଃ ଆରମ୍ଭ ହେବ ନାହିଁ। ୨୦୧୨ ପରେ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ। ଆଇସିସି ସ୍ପଷ୍ଟ କରିଛି ଯେ, ଦୁଇ ଦେଶ ମଧ୍ୟରେ ସିରିଜ୍ ଆୟୋଜନ କରିବା ତାହାର କ୍ଷେତ୍ରାଧିକାରରେ ଆସେ ନାହିଁ।