ଇସ୍ଲାମାବାଦ ୧୪/୬: ପାକିସ୍ତାନରେ ଏକ ହିନ୍ଦୁ ଧର୍ମଶାଳା ଭାଙ୍ଗିବାକୁ ନେଇ ପ୍ରଶାସନର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। କରାଚି ପ୍ରଶାସନ ହିନ୍ଦୁ ଧର୍ମଶାଳା ଭାଙ୍ଗିବା ପାଇଁ ନିର୍ଦେଶ ଦେଇଥିଲା। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ ଲଗାଇଥିବା ଜଣାପଡ଼ିଛି। ସଂଖ୍ୟାଲଘୁଙ୍କ ପାଇଁ ୨୦୧୪ରେ ଆସିଥିବା ଏକ ରାୟକୁ ଲାଗୁ କରିବାକୁ ଆବେଦନର ଶୁଣାଣି ବେଳେ ନିର୍ଦେଶ ଦେଇଛନ୍ତି କୋର୍ଟ । ପାକିସ୍ତାନର ମୁଖ୍ୟ ବିଚାରପତି ଗୁଲଜାର ଅହମଦଙ୍କ ସମେତ ୩ ଜଜଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ପାକିସ୍ତାନର ସଂଖ୍ୟାଲଘୁ ଆୟୋଗର ସଦସ୍ୟ ରମେଶ କୁମାର ନିଜ ଆବେଦନରେ ଲେଖିଥିଲେ ଧର୍ମଶାଳା ୭୧୬ ବର୍ଗ ୟାର୍ଡ ପରିବ୍ୟାପ୍ତ ହୋଇ ରହିଛି। ଏନେଇ ପ୍ରଥମେ ରମେଶ କୁମାର ସିନ୍ଧ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଧର୍ମଶାଳା ଭାଙ୍ଗିବା ସପକ୍ଷରେ ରାୟ ଦେବା ସହ ସେଠାରେ ନୂଆ ବିଲ୍ଡିଂ ତିଆରି ପାଇଁ କହିଥିଲେ। ପରେ ସୁପ୍ରିମକୋର୍ଟରେ ତଳ କୋର୍ଟଙ୍କୁ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ଏହି ଏହି ଧର୍ମଶାଳାର ନିର୍ମାଣ ୧୯୩୨ରେ ହୋଇଥିଲା ବୋଲି ଜଣାପଡ଼ିଛି।
ଏହି ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଏହା ବହୁ ପୂରୁଣା ବିଲ୍ଡିଂ। ତେଣୁ ଏହାକୁ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିବା ଦରକାର। ଏନେଇ କୋର୍ଟ ସିନ୍ଧର ହେରିଟେଜ୍ ସେକ୍ରେଟାରିଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ପାକିସ୍ତାନର ଖୈବର ପୁଖ୍ଥୁନଖ୍ବାରେ ଥିବା ବିଶିଷ୍ଟ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କ ଘରକୁ ଐତିହ୍ୟ ବିଲ୍ଡିଂ ରୂପେ ଘୋଷଣା କରାଯାଇଛି। ଏହାକୁ ଏବେ ସଂଗ୍ରହାଳୟରେ ପରବିର୍ତ୍ତନ କରାଯିବ।