ଭୁବନେଶ୍ୱର/ସ୍ୱରୂପା ମହାପାତ୍ର : ରାଜରାସ୍ତାରେ ଗର୍ଜିଲେ ପାଇକ । ଆମ ବିଦ୍ରୋହକୁ ମିଳୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା । ଓଡିଶା ପାଇକ ବୀର ମହାସଙ୍ଘ ପକ୍ଷରୁ ଦିଆଯାଇଛି ଏହି ଆହ୍ୱାନ । ଖୋର୍ଦ୍ଧାର ବରୁଣେଇ ପୀଠରେ ଗଂଜାମ, ଖୋର୍ଦ୍ଧା, ପୁରୀ, ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ଶତାଧିକ ପାଇକ ଆଜି ମେଳି କରିଥିଲେ । ଏହାପରେ ପଞ୍ଚ ପାଇକ, ଖୋର୍ଦ୍ଧା ସହର , ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ପହଞ୍ଚିଥିଲା ଏହି ଶୋଭାଯାତ୍ରା । ରାଜ୍ୟ ଓ କେନ୍ଦ୍ର ଠାରୁ ପ୍ରତିଶୃତି ପାଇ ମଧ୍ୟ ମିଳୁନି ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା । ଏହାକୁ ନେଇ ତାତିଛି ପାଇକ ସମାଜ । ରାଜ୍ୟ ରାଜଧାନୀ ସହ ଦେଶର ରାଜଧାନୀ କମ୍ପିବ ବୋଲି ଦେଇଛନ୍ତି ଚେତାବନୀ ।
୧୮୧୭ ମସିହାରେ ବ୍ରିଟିଶ ସରକାର ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ଗଣ ବିପ୍ଳବ ପ୍ରଥମ ଥର ପାଇଁ ପାଇକ ମାନେ ଆରମ୍ଭ କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତାଙ୍କର ମତ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବର୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ବରୁଣେଇ ଠାରେ କରିଥିଲେ ଶିଳାନ୍ୟାସ। ତେବେ ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ଦେଇ ଓଡିଶାର ସ୍ୱାଭିମାନ ଓ ଅସ୍ମୀତାକୁ ଠକି ଚାଲିଛନ୍ତି । ଯଥାଶୀଘ୍ର ଏହି ଐତିହାସିକ ପାଇକ ଗଡର ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯିବା ସହ, ପାଇକ ସ୍ମାରକୀ ନିର୍ମାଣ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବା ଦାବି ନେଇ ଆଜି ରାଜରାସ୍ତାରେ ଗର୍ଜିଛନ୍ତି ପାଇକ ପୁଅ । ଆଗକୁ ଯଦି ଏହି ମାନ୍ୟତା ମିଳେ ତେବେ ଆହୁରି ତୀବ୍ରତର ହେବ ଏହି ଆନ୍ଦୋଳନ ।
ଶୋଭାଯାତ୍ରାରେ ପାଇକଙ୍କ ଦାୟଦଙ୍କ ସମେତ, ଜଟଣୀ ବିଧାୟକ ସୁର ରାଉତରାୟ, ଅନେକ ବୁଦ୍ଦିଜିବୀ ଓ ସ୍ଥାନୀୟ ନେତୃତ୍ୱ ବୃନ୍ଦ ସାମିଲ ହୋଇଥିଲେ ।