ନୂଆଦିଲ୍ଲୀ-: ପାକିସ୍ତାନ ସେନା ହିଁ ଆକ୍ରମଣ କରିଥିବା ତଥ୍ୟ ଗୁଇନ୍ଦା ବିଭାଗକୁ ମିଳିଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ ତାଲିମପ୍ରାପ୍ତ ଆତଙ୍କୀ ରହିଅଛି । ତା ନାଁ ହାସିମ ମୂଷା ଓରଫ ସୁଲେମାନ । ଆତଙ୍କବାଦୀ ହାସିମ ମୁସା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହାର ପାକିସ୍ତାନ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ପାକିସ୍ତାନୀ ବଂଶୋଦ୍ଭବ ହାସିମ ମୂଷା ଓରଫ ଆସିଫ ଫୌଜି ଓରଫ ସୁଲେମାନ ପୂର୍ବରୁ ପାକିସ୍ତାନୀ ସେନାର ସ୍ପେଶାଲ ଫୋର୍ସ SSG (ସ୍ପେଶାଲ ସିକ୍ୟୁରିଟି ଗ୍ରୁପ)ର କମାଣ୍ଡୋ ଥିଲା । ପାକିସ୍ତାନୀ ସେନାରେ ତାଙ୍କର ସେବା ଯୋଗୁ ସେ ‘ଫୌଜି’ ଭାବରେ ମଧ୍ୟ ଜଣାଶୁଣା ଥିଲା। ସେ ପାକିସ୍ତାନୀ ମିଲିଟାରୀ ଦ୍ବାରା ସମ୍ପୂର୍ଣ୍ଣ ତାଲିମପ୍ରାପ୍ତ ହାର୍ଡକୋର ଆତଙ୍କୀ । ଏହି ହାର୍ଡକୋର ଆତଙ୍କୀ ଏବେ ଲସ୍କର-ଏ-ତୋଇବା ପାଇଁ କାମ କରୁଛି ଏବଂ ଅଣ-ସ୍ଥାନୀୟ ଲୋକ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଆତଙ୍କ ପ୍ରସାର କରିବା ଉଦ୍ଦେଶ୍ୟରେ ତାକୁ ଜମ୍ମୁ ଏବଂ କଶ୍ମୀର ପଠାଯାଇଥିଲା ।
ସୁରକ୍ଷା ଏଜେନ୍ସିଗୁଡ଼ିକ ଲସ୍କର-ଏ-ତୋଇବାର ଶୀର୍ଷ ଆତଙ୍କବାଦୀ ସୈଫୁଲ୍ଲା କସୁରୀ ଓରଫ ଖାଲିଦକୁ ଏହି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଛନ୍ତି । ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏହା ମଧ୍ୟ ଜାଣିପାରିଛନ୍ତି ଯେ, ଏହି ଆତଙ୍କବାଦୀମାନଙ୍କର ଡିଜିଟାଲି ପାକିସ୍ତାନର ମୁଜାଫରାବାଦ ଏବଂ କରାଚୀ ସହିତ ଜଡିତ, ଯାହା ସୀମାପାର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ନିଶ୍ଚିତ କରେ ।