ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସରକାରଙ୍କ ଦଶହରା ଭେଟି

ଭୁବନେଶ୍ୱର: ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସିର ସମ୍ଭାର । କର୍ମଚାରୀ ମାନଙ୍କୁ ଦେଇଛନ୍ତି ପବିତ୍ର ଦଶହରାର ଭେଟି । ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାରିଶ୍ରମିକରେ ୫୦ ପ୍ରତିଶତ ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ରାଜ୍ୟ ସରକାର । କେବଳ ସେତିକି ନୁହେଁ, କର୍ମଚାରୀମାନଙ୍କ ଚିକିତ୍ସା ସୁବିଧା ଏବଂ ମାସିକ ପେନସନ ଅଂଶଦାନକୁ ମଧ୍ୟ ୧୦ ରୁ ୧୪ ପ୍ରତିଶତ ବଢାଯାଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଭର୍ଚୁଆଲ ବୈଠକରେ ଏ ନେଇ ସୂଚନା ଦିଆଯାଇଛି । ଓଡିଶା ଗ୍ରୁପ ସି ଓ ଡି ଚୁକ୍ତିନାମା ନିୟମ-୨୦୧୩ ଏବଂ ଗ୍ରୁପ ବି ଚୁକ୍ତିନାମା-୨୦୧୩ରେ ସଂଶୋଧନରେ ମୋହର ଲଗାଯାଇଥିବା କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଚୁକ୍ତିଭିତ୍ତିକ କର୍ମଚାରୀମାନେ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ, ଯେଉଁଥି ପାଇଁ ପ୍ରତିବର୍ଷ ସରାକରଙ୍କୁ ଅତିରିକ୍ତ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ସହ ଚିକିତ୍ସା ସୁବିଧା ଏବଂ ମେଡିକାଲ ଟ୍ରିଟମେଣ୍ଟ ବାବଦକୁ ସରକାରଙ୍କ ନିକଯରୁ ଟଙ୍କା ମଧ୍ୟ ନେଇ ପାରିବେ । ତେବେ ଏହି ନିୟମ କେବେଠୁ ଲାଗୁ କରାଯିବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।
କିନ୍ତୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗତ ସପ୍ତାହରେହୋଇଥିବା ଆଲୋଚନାରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଥିବା କୁହାଯାଉଛି । କର୍ମଚାରୀଙ୍କ ଆହୁରି କିଛି ଦାବି ଏବେ ବି ହାଇକୋର୍ଟରେ ବିଚାରାଧୀନ ରହିଛି । ସେପଟେ ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଖେଇ ଆସୁଥିବାରୁ ଏହା କର୍ମଚାରୀଙ୍କ ପାଇଁ ଏକ ଲଲିପପ୍ ବୋଲି ବିରୋଧୀ ମତ ଦେଇଛନ୍ତି । ଯାହା ନିର୍ବାଚନ ଜିତିବା ପାଇଁ ଏକ ଚାଲ ବୋଲି କୁହାଯାଉଛି ।