ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଭାଗିରଥିପୁର ଛକରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜରପଡା ଆଞ୍ଚଳିକ ଚାଳକ ସଂଘର ଶାଖା ସଭାପତି କୁନାଲ ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ତଥା କାର୍ୟ୍ୟରତ ଥିବା ମୋଟର ଚାଳକ ଅର୍ଥାତ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତାମତ ପ୍ରଦାନ କରିଥିଲେ ଶ୍ରୀ ବେହେରା । ଏହି ବୈଠକରେ ରାଜ୍ୟ ସଭାପତି ମୁକ୍ତିକାନ୍ତ ଶତପଥି ଯୋଗ ଦେଇ ରାଜ୍ୟ ସ୍ତରରେ ଚାଳକ ସଂଘ ଗଠନ କରାଯିବା ଆବଶ୍ୟକତା ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏପରିକି ବିଭିନ୍ନ କ୍ଷେତ୍ରରେ ନିୟୋଜିତ ତଥା କାର୍ୟ୍ୟରତ ଡ୍ରାଇଭର ମାନଙ୍କ ସକାଶେ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଆଇନ , ଚାଳକ କଲ୍ୟାଣ ପାଣ୍ଠି ଗଠନ ଆଇନ ପ୍ରଣୟନ କରାଯିବା ସହିତ ସ୍ୱାସ୍ଥ୍ୟ ବୀମା , ପରିବାରବର୍ଗଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ମାଗଣା ଶିକ୍ଷା ସୁବିଧା , ଅବସରପ୍ରାପ୍ତ ଡ୍ରାଇଭର ମାନଙ୍କୁ ମାସିକ ପେନସନ ବ୍ୟବସ୍ଥା କରାଯିବା ଆଦି ଦାବି ଉପରେ ସବିଶେଷ ଭାବେ ଆଲୋଚନା କରିଥିଲେ
ଅପରପକ୍ଷରେ ସଂଘ ଗଠନ ପରିଚାଳନା , ନୂତନ ସଭ୍ୟ ସଂଗ୍ରହ ସାଙ୍ଗକୁ ଅଧିକ ସୁଦୃଢ ତଥା କ୍ରିୟାଶୀଳ କରାଯିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ , ଯାଜପୁର ଜିଲ୍ଲା ସମ୍ପାଦକ ଅଶୋକ କୁମାର ସାହୁ , କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଅନନ୍ତ ଚରଣ ବିଶ୍ୱାସ , ବରଗଡ ଜିଲ୍ଲା ସଭାପତି ନିରୋଜ ପୋଡ଼ ଯାଦବ , ଯାଜପୁର ଜିଲ୍ଲା ପ୍ରଭାରୀ ଶେଷଦେବ ପଣ୍ଡା , ବରିଷ୍ଠ ନେତା ଚତୁରା ନାଏକ , ବରିଷ୍ଠ ଡ୍ରାଇଭର ଜିତୁ ଗଡ଼ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜରପଡା ଆଞ୍ଚଳିକ ଶାଖା ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ କୁନାଲ ନାଏକ ,ଉପ ସଭାପତି ସଞ୍ଜୟ କୁମାର ପ୍ରଧାନ , ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଗଡ଼ନାୟକ ,ସହ ସମ୍ପାଦକ କିଶୋର ପ୍ରଧାନ , କୋଷାଧ୍ୟକ୍ଷ ବିଶ୍ୱାମିତ୍ର ନାୟକ , ସହ କୋଷାଧ୍ୟକ୍ଷ ବିଶ୍ୱଜିତ ପ୍ରଧାନ , ସୁଶାନ୍ତ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି । ଅନ୍ୟ ପକ୍ଷରେ ସଂଘର ସମସ୍ତ ସଦସ୍ୟ ଜରପଡା , ଦୁର୍ଗାପୁର ,କତଡା ଆଦି ପଞ୍ଚାୟତର ସମସ୍ତ ଗ୍ରାମରେ ଏକ ରାଲିରେ ପରିକ୍ରମା କରିଥିଲେ । ଏହି ବୈଠକରେ ଜରପଡା ଅଞ୍ଚଳର ଶତାଧିକ ମୋଟର ଚାଳକ ଯୋଗ ଦେଇଥିଲେ ।