ପାଟନା: ପାଟନାରେ ହେବାକୁ ଯାଉଛି ବିରୋଧୀଙ୍କ ମହାମେଳି । ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢ଼େଇ କରିବାର ଲକ୍ଷ୍ୟ ନେଇ ଏକାଠି ହେବାକୁ ଯାଉଛନ୍ତି ବିରୋଧୀ । ଆସନ୍ତା ୨୩ରେ ପାଟନାରେ ହେବାକୁ ଥିବା ଏହି ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ମୁଖ୍ୟ । ମହାସମାବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି ।
ବିରୋଧୀଙ୍କ ଏହି ମେଗା ସୋ’ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବାର ଆଶା ରହିଛି । ଏହି ସମାବେଶରେ ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢେଇ କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର ସମ୍ଭାବନା ରହିଛି । ଗତ କିଛି ଦିନ ଧରି ବିଜେପି ବିରୋଧରେ ମେଣ୍ଟକୁ ଶକ୍ତିଶାଳୀ କରିବା ଲାଗି ବିଭିନ୍ନ ନେତା ଘନ ଘନ ଉଦ୍ୟମ କରୁଥିବା ଦେଖାଯାଇଛି ।