ସାଇବର ଅପରାଧୀଙ୍କ ଭିତ୍ତିଭୂମିକୁ ନଷ୍ଟ କରିବ ‘ଅପରେସନ ସାଇବର କବଚ’

ଓଡ଼ିଶା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ । ସାଇବର ଅପରାଧୀଙ୍କ ଭିତ୍ତିଭୂମିକୁ ନଷ୍ଟ କରିବା ଏହି ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ । ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଅଭିଯାନ ଜାରି ରଖିଛି ଓଡିଶା ପୋଲିସ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’  ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମଗ୍ର ରାଜ୍ୟରେ ମୋଟ ୭୩ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି । ପୋଲିସ ୩ଟି ନୂତନ ସାଇବର ମାମଲା ରୁଜୁ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ବ୍ୟତୀତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସାଇବର ଅପରାଧରେ ସହାୟତା କରୁଥିବା ୫୧ ଜଣ ବ୍ୟକ୍ତିଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି । ଏହି ଅଭିଯାନରେ ବୌଦ୍ଧ ଜିଲ୍ଲାରେ ୪୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସହ ୧ଟି ନୂତନ ମାମଲା ରୁଜୁ କରାଯାଇଛି ଏବଂ ୪୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି।