ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି

ମୁମ୍ବାଇ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ମଙ୍ଗଳବାର (ଜୁଲାଇ ୧୮) ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ, ୭୯ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ନେଇଛନ୍ତି।ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଓମାନ ଚାଣ୍ଡିଙ୍କ ପୁଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଓମାନ ଚାଣ୍ଡି ଚିକିତ୍ସାଧିନ ଥିଲେ। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। କଂଗ୍ରେସର ଜଣେ ବରିଷ୍ଠ ନେତା ହେଉଛନ୍ତି ଓମାନ ଚାଣ୍ଡି। କେରଳର ରାଜନୀତିରେ ଓମାନର ସ୍ଥିତି ବହୁତ ଉପରେ ଥିଲା । ସେ ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ୧୨ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କର ରାଜନୈତିକ ଯାତ୍ରାରେ ସେ ଅନ୍ୟାନ୍ୟ ପଦବୀରେ କାର୍ୟ୍ୟ କରିଥିଲେ।
୧୯୭୦ ରେ ପ୍ରଥମ ଥର ପୁଥୁପଲ୍ଲୀ ଆସନରୁ ନିର୍ବାଚନରେ ଜିତି ଓମାନ ଚାଣ୍ଡି କେରଳ ବିଧାନସଭାରେ ପହଞ୍ଚିଥିଲେ ଏବଂ ସେଠାରେ ୫୦ ବର୍ଷ ପର୍ୟ୍ୟନ୍ତ ଗୋଟିଏ ବି ନିର୍ବାଚନରେ ହାରି ନଥିଲେ। ସେ ୨୦୨୧ ରେ ତାଙ୍କର ଶେଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୬ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୫ ଦଶନ୍ଧି ଧରି ପୁଥୁପଲ୍ଲୀ ଆସନ କ୍ରମାଗତ ଭାବରେ କଂଗ୍ରେସ ସହିତ ଥିଲା ।
ଚାଣ୍ଡିଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ କରି ସେ କହିଛନ୍ତି, ଆମର ରାଜନୈତିକ କ୍ୟାରିଅର ଏକସାଙ୍ଗେ ଆରମ୍ଭ ହୋଇଥିଲା । ଓମାନ ଚାଣ୍ଡି ଜଣେ ଦକ୍ଷ ପ୍ରଶାସକ ଏବଂ ଏଭଳି ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ସହ ଘନିଷ୍ଠ ଭାବରେ ଜଡିତ ଥିଲେ ବୋଲି ସେ କହିଛନ୍ତି ।