ଅନଲାଇନରେ ମିଳିବ ବୋର୍ଡ ଓ ୟୁନିଭରସିଟି ସାର୍ଟିଫିକେଟ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ସାର୍ଟିଫିକେଟ ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି । ଛାତ୍ରଛାତ୍ରୀମାନେ ଏଣିକି ନିଜର ମାଟ୍ରିକ ଓ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟକୁ ଅନଲାଇନରେ ପ୍ରାପ୍ତ କରିପାରିବେ । ଅନ୍‌ଲାଇନରେ ଘରେବସି ପାଇପାରିବେ ଆପଣଙ୍କ ସାର୍ଟିଫିକେଟ । ଶନିବାର ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ସଚିବାଳୟଠାରେ ଏ ପ୍ରକାର ୮ଟି ସେବାକୁ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଉଦଘାଟନ କରିଛନ୍ତି । ନୂତନ ଭାବେ ଅନଲାଇନ୍ କରାଯାଉଥିବା ଏହି ୮ଟି ସେବା ବିଷୟରେ ସୂଚନା ଦେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କହିଥିଲେ ଯେ ବିଦ୍ୟାଳୟ ଓ ବିଭାଗର ୬ଟି ସେବା ଏବଂ ଉଚ୍ଚଶିକ୍ଷା ବିଭାଗର ୨ଟି ସେବା ଏହାର ଅନ୍ତର୍ଭୁକ୍ତ । ଏଗୁଡିକ ହେଲା ହାଇସ୍କୁଲ ମାର୍କସିଟର ନକଲ, ବୋର୍ଡ ସାର୍ଟିଫିକେଟର ନକଲ, ବୈଧକରଣ (ଭେରିଫିକେସନ୍) ପ୍ରମାଣ, ବୋର୍ଡ଼ର ସାର୍ଟିଫିକେଟ ଓ ମାର୍କସିଟ୍, ବୋର୍ଡ଼ ମାଇଗ୍ରେସନ୍ ସାର୍ଟିଫିକେଟ୍ ବିଶ୍ୱବିଦ୍ୟାଳୟ ପ୍ରୋଭିଜିନାଲ ସାର୍ଟିଫିକେଟ୍ ଓ ମାର୍କସିଟ୍ ଏବଂ ବିଶ୍ୱବିଦ୍ୟାଳୟ ମାଇଗ୍ରେସନ୍ ସାର୍ଟିଫିକେଟ୍ ।