ଭୁବନେଶ୍ୱର: ଠେଲାପେଲା, ଧସ୍ତାଧସ୍ତି ଓ ମାରପିଟ୍ । ଜୁନ ୧୨ରେ ହେବ ବାରବାଟୀ ମହାମୁକାବିଲା, କିନ୍ତୁ ବାରବାଟୀ ଫାଇଟ ପୂର୍ବରୁ ଦେଖିବାକୁ ମିଳିଛି ଫ୍ୟାନ୍ସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଟିକେଟ ପାଇଁ ଗୁରୁବାର ବାରବାଟୀ ଷ୍ଟାଡିୟମ ସାମ୍ନାରେ ଥିବା ଟିକେଟ କାଉଣ୍ଟର ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । ଏହି ମ୍ୟାଚରେ ଭାରତୀୟ ପ୍ଲେୟାର ମାନଙ୍କ ମଧ୍ୟରୁ କେହି ବଡ଼ ଷ୍ଟାର ପ୍ଲେୟାର ଆସୁନାହାନ୍ତି କଟକ। ନା ବିରାଟ କୋହଲି ଆସୁଛନ୍ତି ନା ରାହୁଲ ନା ରୋହିତ। କିନ୍ତୁ ତଥାପି ବି କମିନି କ୍ରିକେଟର କ୍ରେଜ । ରାତି ଅଧରୁ କ୍ରିକେଟ ପ୍ରେମୀ ଟିକେଟ ପାଇଁ ଜମାଇଥିଲେ ଭିଡ଼। କିଲୋମିଟର ବ୍ୟାପୀ ଲମ୍ବିଥିଲା ଲମ୍ବା ଧାଡ଼ି।
ସକାଳ ୯ଟାରେ ଖୋଲିଥିଲା ଟିକେଟ କାଉଣ୍ଟର। କାଉଣ୍ଟର ଖୋଲିବା ମାତ୍ରେ ଉତ୍ସାହିତ ହୋଇପଡ଼ିଥିଲେ ଫ୍ୟାନ୍ସ। ବ୍ୟାରିକେଡ୍ ଭିତରେ ଟିକେଟ୍ ଖଣ୍ଡେ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ ହଜାର ହଜାର ଲୋକ। ସେଥିରୁ କିଏ ଟିକେଟ୍ ପାଇଛନ୍ତି ତ ଆଉ କିଏ ନିରାଶ ହୋଇଛନ୍ତି।। ଚଳିତ ବର୍ଷ ଶତ ପ୍ରତିଶତ କ୍ଷମତାରେ ବାରବାଟି ମ୍ୟାଚ ହେବ ବୋଲି ଓସିଏ ପକ୍ଷରୁ ଘୋଷଣା କରାଯାଇଥିଲା । ଅନ୍ୟପକ୍ଷେ, ବାରବାଟୀରେ ୪୪ ହଜାର ସିଟିଙ୍ଗ କ୍ଷମତା ବିଶିଷ୍ଟ ବାରବାଟୀ ମ୍ୟାଚ ପାଇଁ ୧୨ ହଜାର ଅଫଲାଇନ ଟିକେଟ ବିକ୍ରି କରାଯାଇଥିବା ବେଳେ ଅନଲାଇନ ୫, ୦୦୦ ଟିକେଟ ଏବଂ ଭିଆଇପିଙ୍କ ପାଇଁ ୫, ୦୦୦ ଟିକେଟ ବିକ୍ରି କରାଯାଇଛି । ୪୪ ହଜାର ସିଟିଙ୍ଗ କ୍ଷମତା ବିଶିଷ୍ଟ ବାରବାଟୀ ମ୍ୟାଚ ପାଇଁ ୪୪ ଟିକେଟ ବିକ୍ରି ହେବାକୁ ଥିବା ବେଳେ, ୨୨ ହଜାର ଟିକେଟ ବିକ୍ରି ହୋଇଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ନିରାଶ ହେଲେ କ୍ରିକେଟ ଫ୍ୟାନ୍ସ ? କୁଆଡ଼େ ଗଲା ବଳକା ୨୨ ହଜାର ଟିକେଟ ?
ଅନ୍ୟପକ୍ଷେ ୯ ଓ ୧୦ତାରିଖରେ ବିକ୍ରି ହେବାକୁ ଥିବା ସମସ୍ତ ୧୨ହଜାର ଟିକେଟ କେବଳ ୯ ତାରିଖରେ ବିକ୍ରି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏବେବି ଟିକେଟ ମିଳୁଛି ଆଉ କଳାବଜାର କରୁଥିବା ଲୋକେ ଏହି ଟିକେଟ ସବୁକୁ ଚଢାଦରରେ ବିକ୍ରି କରୁଛନ୍ତି । ଟିକେଟ ନପାଇ ନିରାଶ ହୋଇଥିବା କ୍ରିକେଟପ୍ରେମୀଙ୍କୁ ଅଧିକ ଟଙ୍କାରେ ଟିକେଟ ବିକ୍ରି କରିବାକୁ ଏବେ ସୋସିଆଲ ମିଡିଆରେ ଟିକେଟ ବିକ୍ରି କରାଯାଉଛି । ସବୁ ଟିକେଟ ଦର ୪ଗୁଣାରୁ ଅଧିକ ଦାମରେ ବିକ୍ରି ହେଉଛି । ଏପରିକି କେଉଁ ଗ୍ୟାଲେରୀର ଟିକେଟ କେତେ ଟଙ୍କାରେ ବିକ୍ରି ହେବ ତାର ସବିଶେଷ ସୂଚନା ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଯୋଗାଯୋଗ କରିବାକୁ ନମ୍ବର ମଧ୍ୟ ଦିଆଯାଇଛି । ଖୋଲାଖୋଲି ହ୍ୱାଟ୍ସଆପ୍ ଓ ଫେସବୁକରେ ଟିକେଟ ଫଟୋ ଛଡାଯାଇ କଳାବଜାରୀ କରାଯାଉଛି ।
ତେବେ କଳାବଜାରୀ କରି ବିକ୍ରି କରାଯାଉଥିବା ଟିକେଟ ଗୁଡିକର ମୂଲ୍ୟ କିଛି ଏପରି ରହିଛି ଗ୍ୟାଲେରୀ ନମ୍ବର ୧ ଓ ୩ ପାଇଁ ଟିକେଟ ମୂଲ୍ୟ ୯୦୦ ଟଙ୍କା ରହିଥିବା ବେଳେ, ଏହାକୁ କଳାବଜାରୀ କରାଯାଇ ୫,୫୦୦ ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ଟିକେଟ ମୂଲ୍ୟ ୭୦୦ ଟଙ୍କା ରହିଛି । କିନ୍ତୁ ଏହାକୁ ୪,୫୦୦ ଟଙ୍କାରେ ବିକ୍ରି କରାଯାଇଛି । ସେହିଭଳି ୫ ନମ୍ବର ଗ୍ୟାଲେରୀର ଟିକେଟ ୭୦୦ ଟଙ୍କା ଥିବା ବେଳେ ଏହାକୁ ୪,୦୦୦ ଟଙ୍କା ଓ ୬ ଓ ୭ ନମ୍ବର ଗ୍ୟାଲେରୀ ଟିକେଟ ଦାମ ୩୦୦ ଏବଂ ୬୦୦ ଟଙ୍କା ଥିବା ବେଳେ ଏହାକୁ ବ୍ଲାକରେ ୩,୫୦୦ ଟଙ୍କାରେ ବିକ୍ରି କରାଯାଉଛି ।