ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ କୁକୁଡାରୁ ସୃଷ୍ଟି ହୋଇପାରେ: ଆମେରିକା

ନ୍ୟୁୟର୍କ: କୋବିଦ-୧୯ ରେ ସାରା ବିଶ୍ୱରେ ୩ ଲକ୍ଷ ୬୫ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅର୍ଥନୀତି ପ୍ରଭାବିତ ହୋଇଛି । କୋଟି କୋଟି ଲୋକ ଜୀବିକା ଜୀବିକା ହରାଇ ବସିଛନ୍ତି । ଏହି ସ୍ଥିତିରେ ଆଉ ଏକ ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଆମେରିକାର ବିଶେଷଜ୍ଞ ଡ଼.ମାଇକେଲ ଗ୍ରେଗର । ଗ୍ରେଗରଙ୍କ ଅନୁଯାୟୀ କରୋନା ଭୁତାଣୁଠାରୁ ଆହୁରି ଏକ ଭୟଙ୍କର ଭୂତାଣୁ ସାରା ବିଶ୍ଵରେ କରୋନାଠାରୁ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ । ଏହି ଭୂତାଣୁ କୁକୁଡ଼ା ଫାର୍ମରୁ ବାହାରିବ ବୋଲି ସେ ଆଶଙ୍କା କରିଛନ୍ତି । ‘‘ହାଓ ଟୁ ସରଭାଇଭ୍ ଏ ପାଣ୍ଡାମିକ’’ ପୁସ୍ତକରେ ଏପରି ଆଶଙ୍କା କରିବା ସହ ନିରାମିଷ ଖାଇବାକୁ ଗ୍ରେଗର ପରାମର୍ଶ ଦେଇଛନ୍ତି ।
ବାଦୁଡ଼ିଠାରୁ ବ୍ୟାପିଥିବା ଭୂତାଣୁ ଏତେବଡ଼ ଭୟଙ୍କର ବିପତ୍ତି ସୃଷ୍ଟି କରିଥିବା ବେଳେ କୁକୁଡ଼ାଠାରୁ ବାହାରୁଥିବା ଭୂତାଣୁ କେତେ ଭୟଙ୍କର ହେବ ତାକୁ ନେଇ ଚିନ୍ତାକରିବାର ଆବଶ୍ୟକତା ରହିଛି ବୋଲି କିଛି ବୈଜ୍ଞାନିକ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡ଼. ଗ୍ରେଗର କହିଛନ୍ତି ପଶୁ-ପକ୍ଷୀଙ୍କ ପ୍ରତି ମଣିଷର ଆସକ୍ତି ବିପଦର କାରଣ ହୋଇପାରେ । ତେବେ ଗ୍ରେଗରଙ୍କ ମତ ଉପରେ ଅନ୍ୟ ବିଶେଷଜ୍ଞଙ୍କ ମତ ଏଯାବତ୍ ଆସିନାହିଁ ।
ତେବେ ଚିକେନରେ ଥିବା ସାଲମୋନେଲା, କ୍ଲୋଷ୍ଟ୍ରିଡିୟମ ଫ୍ରେଞ୍ଜିନସ୍, କାମ୍ପିଲୋବାକ୍ଟର ‌କ୍ଷତିକାରକ ହେଲେ ମଧ୍ୟ ଉଚ୍ଚ ତାପରେ ରନ୍ଧନ ଦ୍ବାରା ତାହା ନଷ୍ଟ ହୋଇଯାଇଥାଏ । ମାତ୍ର ଡ଼. ଗ୍ରେଗର ଯେଉଁ ଭୂତାଣୁ କଥା କହୁଛନ୍ତି ତାହା କୁକୁଡ଼ା ଫାର୍ମର ଅସ୍ବାସ୍ଥ୍ୟକର ପରିବେଶରୁ ହିଁ ସୃଷ୍ଟି ହେବାର ଆଶଙ୍କା ରହିଛି ।