(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାତୀୟ ବୈଜ୍ଞାନିକ ଗୋଟିଏ ପଟେ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ କରିଥିବା ବେଳେ ଅନ୍ୟପଟେ ନୂତନ ତାରକା ଆବିଷ୍କାର କରି ଅନ୍ତରୀକ୍ଷରେ ସଫଳତାର ପାହଚ ଚଢିଚାଲିଛନ୍ତି । ଗୋଟିଏ ଦିନରେ ଭାରତୀୟ ବୈଜ୍ଞାନିକ ଦୁଇ ଦୁଇଟି ଇତିହାସ ରଚନା କରିବାରେ ସକ୍ଷମ ହୋଇଛନ୍ତି ।
ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକ ବ୍ୟସ୍ତ ଥିବା ସମୟରେ ନୈନିତାଲସ୍ଥିତ ଆର୍ଯ୍ୟଭଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଅବଜରଭେସନାଲ ସାଇନ୍ସର ୨ ବୈଜ୍ଞାନିକ ୫୭୦୦୦ ଆଲୋକ ବର୍ଷ ଦୂରରେ ଥିବା ଗ୍ଲୋବ୍ୟୁଲର କ୍ଲଷ୍ଟର ଏନଜିସି ୪୧୪୭ରେ ୨୮ ନୂଆ ବେରିଏବଲ ତାରା ଅନୁସନ୍ଧାନ କରିଛନ୍ତି । ଏହି ତାରା ଆବିଷ୍କାର ଇତିହାସରେ ପ୍ରଥମ ଘଟଣା । ଏନଜିସି ୪୧୪୭ର ଅନ୍ତରୀକ୍ଷ ସଂରଚନା ବିଷୟରେ ମଧ୍ୟ ବହୁ ମହତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ସୂଚନା ଆଧାରରେ ଗ୍ଲୋବ୍ୟୁଲାର କ୍ଲଷ୍ଟର୍ସରେ ଷ୍ଟେରିଓ ଷ୍ଟାର ବିଷୟରେ ଭବିଷ୍ୟତରେ ଅନୁସନ୍ଧାନ ଜାରି ରହିବ । ଏ ସମ୍ପର୍କରେ ସଂସ୍ଥାର ବୈଜ୍ଞାନିକ ସୂଚନା ଦେଇଛନ୍ତି କି, ଗ୍ଲୋବ୍ୟୁଲାର କ୍ଲଷ୍ଟର ଏକ ଉପଗ୍ରହ ରୂପରେ ଗେଲେକ୍ଟିକ କୋରର ପରିକ୍ରମା କରୁଥିବା ତାରକା ଗୁଡିକର ଗୋଲାକାର ସଂଗ୍ରହ । ଏହା ଆକାଶଗଙ୍ଗାର ପ୍ରଭାମଣ୍ଡଳରେ ଦେଖିବାକୁ ମିଳେ । ସେସବୁ ମଧ୍ୟରେ ବହୁ ସଂଖ୍ୟାରେ ପୁରୁଣା ତାରକା ରହିଛି ।