ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ବାଙ୍କୀ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ରାଜ୍ୟସଭା ନିର୍ବାଚନରେ ବିଜେଡ଼ିକୁ ଚକମା ଦେଇ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ଦେବୀ ରଞ୍ଜନ ତ୍ରିପାଠୀ । ଏନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ତଥା ନବୀନଙ୍କ ବିରୋଧରେ ଦେବୀ ଖୁବ ବର୍ଷିଥିବା ବେଳେ ବିଜୁ-ନବୀନ ଇନସ୍ପେରସନାଲ୍ ଫାଉଣ୍ଡେସନକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ଦେବୀ । ସେ କହିଛନ୍ତି ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ଦଳ ରହିଛି । ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି । ଏନେଇ ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ । ତେଣୁ ଆଜି ନବୀନ ବାବୁ କାହା ଚାପରେ ଆସି ଟ୍ରଷ୍ଟ ଗଠନ ବିଷୟରେ କହିଲେ । ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ ।
ଦେବୀ କହିଛନ୍ତି ଯେ ସଂତୃପ୍ତ ମିଶ୍ର ୨୦୨୪ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ ହୋଇଥିଲେ । ଅନେକ ବିଜେଡ଼ି କର୍ମୀ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବାବେଳେ କେଉଁ ଆଧାରରେ ପ୍ରତ୍ୟାକ୍ଷାତ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ପୁଣି ଥରେ ରାଜ୍ୟସଭା ପ୍ରାର୍ଥୀ କରାଗଲା ? ତେଣୁ ପାଣ୍ଡିଆନଙ୍କୁ ଖୁସି କରୁଥିବା ଯୁବପୀଢ଼ି ଏବଂ ନେତୃବୃନ୍ଦମାନେ ତୋଷାମଦିଆ ରାଜନୀତି ଛାଡ଼ି ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଦେବୀ ଆହ୍ୱାନ କରୁଛନ୍ତି । ଏହାସହିତ, କ୍ରସ ଭୋଟିଂକୁ ନେଇ ଦେବୀଙ୍କୁ ଆସିଥିବା ସୋ କଜ୍ ନୋଟିସ୍ ପ୍ରସଙ୍ଗରେ ଜବାବ ରଖି ସେ କହିଛନ୍ତି ପ୍ରାଥମିକ ସଦସ୍ୟ ପଦ ଛାଡିବା ପ୍ରଶ୍ନ ଉଠୁ ନାହିଁ । ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରିନାହିଁ । ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି । ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି ବିଜେଡି ସହ ଜଡିତ ଅଛି । ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାଓ ନୋଟିସ ପାଇଁ ଜବାବ ରଖିବି ।