ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କଙ୍କ ବଡ ଘୋଷଣା । ପୁଣି ଛଟେଇ ହେବେ ୩୭୦୦ ଟ୍ୱିଟର କର୍ମଚାରୀ । ଏମିତ ଏକ ଘୋଷଣା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏଲନ୍ ମସ୍କ ।ଯେଉଁ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବ,ସେମାନଙ୍କୁ ବାରମ୍ବାର ମେଲ୍ ଜରିଆରେ ସୂଚିତ କରାଯିବ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ କମ୍ପାନୀ ଏହାର କାର୍ୟ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିବ ଏବଂ କିଛି ସମୟ ପାଇଁ କର୍ମଚାରୀଙ୍କ ପ୍ରବେଶ ବନ୍ଦ ହୋଇଯିବ। ଯାହାଦ୍ୱାରା କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବ ନାହିଁ। ତେବେ କର୍ମଚାରୀମାନଙ୍କୁ ଆଜି ସକାଳୁ ହିଁ ମେଲ୍ ମାଧ୍ୟମରେ ସେମାନଙ୍କ ସ୍ଥିତି ବିଷୟରେ ସୂଚନା ଦିଆଯିବା ଆରମ୍ଭ ହୋଇଯାଇଛି।
ସୂଚନାମୁତାବକ,ଗତ ଅକ୍ଟୋବରରେ ୪୪ ବିଲିୟନ ଦେଇ ଏଲନ ମସ୍କ ଟୁଇଟର କିଣିଥିଲେ । ବର୍ତ୍ତମାନ ଟ୍ୱିଟରକୁ ନେଇ ବେଶ ଚିନ୍ତିତ ହୋଇ ପଡିଛନ୍ତି ମସ୍କ । କାରଣ ଏହାକୁ କିଣିବା ପରେ ବହୁ କ୍ଷତି ସହିବାକୁ ପଡୁଛି । ତେବେ ଆଜିଠାରୁ ଟ୍ୱିଟରରେ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି । କମ୍ପାନୀର ଭିତ୍ତିଭୂମି ମୂଲ୍ୟ ହ୍ରାସ କରି ମସ୍କ ପ୍ରାୟ ୧ ବିଲିୟନ ଡଲାର ଟଙ୍କା ସଞ୍ଚୟ କରିବାକୁ ଚାହିଁଛନ୍ତି ।ଖବରଅନୂଯାୟୀ, ଏକ ଆଭ୍ୟନ୍ତରୀଣ ଟ୍ୱିଟର ବାର୍ତ୍ତାରେ କୁହାଯାଇଛି ଯେ, କମ୍ପାନୀ ସର୍ଭର ଏବଂ କ୍ଲାଉଡ୍ ସର୍ଭିସରୁ ଦିନକୁ ୧.୫ ମିଲିୟନ୍ ରୁ ୩ ମିଲିୟନ୍ ଡଲାର୍ ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି। ସୂଚନାମୁତାବକ,ଟ୍ୱିଟରରେ ବର୍ତ୍ତମାନ ଦିନକୁ ୩ ନିୟୁତ ଡଲାର କ୍ଷତି ହେଉଛି। ତେବେ ଏ ନେଇ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।