ଫୁଲୁରୀ ତେଲ ଲାଗି ପରେ ମହାପ୍ରଭୁଙ୍କ ଓଷ ଲାଗି ନିତୀ

ପୁରୀ/ ଜୟନ୍ତ କୁମାର ସେଠୀ: ୧୦୮ ଗରା ଜଳ ରେ ସ୍ନାନ କରି ଶ୍ରୀ ଜିଉ ଏବେ ଜ୍ୱର ରେ ଆକ୍ରାନ୍ତ। ଅଣସର ପିଣ୍ଡି ରେ ଦଇତା ପତି ସେବକ ମାନେ ଶ୍ରୀ ଜୀଉ ଙ୍କ ଉପଶମ ନେଇ କରୁଛନ୍ତି ଗୁପ୍ତ ସେବା ଓ ଉପଚାର। ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି। ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଛି। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ। ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀଠୁ ନବମୀ ତିଥି ପର୍ୟ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ। ଏହାପରେ ଅନ୍ୟ କିଛି ଗୁପ୍ତ ସେବା ଓ ନିତୀ ପରେ ମହାପ୍ରଭୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ।
ପରମ୍ପରା ଅନୁଯାୟୀ ଗତକାଲି ଅନବସର ପଞ୍ଚମୀ ତିଥି ରେ ଅଣସର ରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହୋଇଚି। ପରେ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେବେ। ଏ ନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିଲା। ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇ ଥିଲା। ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶ୍ରୀଜିଉଙ୍କ ପାଇଁ ତିନିଟି ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା। ଜ୍ବର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ଏହି ପରମ୍ପରା ରହି ଆସିଛି।
ମହାପ୍ରଭୁଙ୍କୁ ଲାଗି ହେଉଥିବା ଫୁଲୁରି ତେଲର ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର। ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରଯାଇଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବାପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିଥା’ନ୍ତି। ଯାହା ଆଜିପର୍ୟ୍ୟନ୍ତ ଗୁପ୍ତ ରଖାଯାଇଛି। ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧୀକୁ ମାଟିରୁ ବାହାର କରାଯାଇଥାଏ। ପରେ କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ଗାରଦରେ ଦାଖଲ ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥା’ନ୍ତି।