ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ବିବାଦର ପ୍ରଭାବ ଏବେ ବିଶ୍ୱ ତୈଳ ବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଅଶୋଧିତ ତୈଳ ଦର ନିକଟତମ ସମୟରେ ପ୍ରାୟ ୧୨ ପ୍ରତିଶତ ବଢିଥିବାରୁ ଆନ୍ତର୍ଜାତୀୟ ବଜାରରେ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ମାର୍ଗ ‘ହୋର୍ମୁଜ ଷ୍ଟ୍ରେଟ୍’କୁ ବନ୍ଦ କରିବାକୁ ଇରାନଙ୍କ ଘୋଷଣା ପରେ ଏହି ଆଶଙ୍କା ଆହୁରି ଗାଢ଼ ହୋଇଛି। ଏହି ଜଳପଥ ଦ୍ୱାରା ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ପରିବହନ ହୋଇଥାଏ। ତେଣୁ ଏଠାରେ କୌଣସି ପ୍ରକାର ବାଧା ସୃଷ୍ଟି ହେଲେ ତାହାର ପ୍ରଭାବ ସରାସରି ବିଶ୍ୱ ଅର୍ଥନୀତି ଉପରେ ପଡ଼ିପାରେ।
ଭାରତ ପାଇଁ ଏହି ପରିସ୍ଥିତି ଅଧିକ ଚିନ୍ତାଜନକ। ଦେଶ ପ୍ରତିଦିନ ପ୍ରାୟ ୨.୫ ରୁ ୨.୭ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ହୋର୍ମୁଜ ଷ୍ଟ୍ରେଟ୍ ମାର୍ଗରେ ଆମଦାନୀ କରେ, ଯାହା ମୁଖ୍ୟତଃ ମଧ୍ୟପ୍ରାଚ୍ୟ ଦେଶମାନଙ୍କୁ ନିର୍ଭର କରେ। ଏହା ସହିତ ଦେଶର ପ୍ରାୟ ସମ୍ପୂର୍ଣ୍ଣ LPG ଯୋଗାଣ ଓ ପ୍ରାୟ ୬୦ ପ୍ରତିଶତ LNG ଆମଦାନୀ ମଧ୍ୟ ଏହି ମାର୍ଗ ଉପରେ ନିର୍ଭରଶୀଳ। ଯଦି ଏହି ଜଳପଥ ଦୀର୍ଘ ସମୟ ପାଇଁ ବନ୍ଦ ରହେ, ତେବେ ଭାରତକୁ ବିକଳ୍ପ ଉତ୍ସ ଖୋଜିବାକୁ ପଡ଼ିପାରେ ଏବଂ ରୁଷ କିମ୍ବା ଅନ୍ୟ ଦେଶରୁ ତୈଳ କ୍ରୟ ବୃଦ୍ଧି କରିବାର ପଦକ୍ଷେପ ନିଅବାକୁ ପଡ଼ିପାରେ।
ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ପ୍ରାୟ ୨୫ ଦିନର ଚାହିଦା ପୂରଣ କରିପାରିବା ଯୋଗ୍ୟ ଅଶୋଧିତ ତୈଳ ଭଣ୍ଡାର ରହିଛି। ଏହା ସହ କୌଶଳଗତ ପେଟ୍ରୋଲିୟମ ଭଣ୍ଡାର ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଅତିରିକ୍ତ ସୁରକ୍ଷା ଦେଇପାରେ। କିନ୍ତୁ ଦୀର୍ଘକାଳୀନ ସଙ୍କଟ ସ୍ଥିତିରେ ଏହି ସଂରକ୍ଷଣ ପର୍ଯ୍ୟାପ୍ତ ହେବ ନାହିଁ। ବିଶ୍ୱ ବଜାରରେ ଯଦି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରେ, ତେବେ ଭାରତର ଆମଦାନୀ ଖର୍ଚ୍ଚ ହାରାହାରି ଭାବେ ଅନେକ ବଢ଼ିପାରେ।
ଭାରତ ନିଜ ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଆମଦାନୀ କରୁଥିବାରୁ ଆନ୍ତର୍ଜାତୀୟ ବଜାରର ଛୋଟ ରୂପାନ୍ତର ମଧ୍ୟ ଦେଶର ଅର୍ଥନୀତିକୁ ଗଭୀର ପ୍ରଭାବିତ କରେ। ତୈଳ ଦର ବୃଦ୍ଧି ହେଲେ ପରିବହନ ଖର୍ଚ୍ଚ ବଢ଼ିବା ସହିତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟପ୍ରୟୋଜନୀୟ ପଣ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ। ଏହି ପରିସ୍ଥିତି ଚାଲୁ ରହିଲେ ସାଧାରଣ ଲୋକଙ୍କ ଜୀବନଯାପନ ଉପରେ ତାହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବା ନିଶ୍ଚିତ।