ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ି ପଡ଼ିଛି ୪ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ

ବୌଦ୍ଧ-: ବୌଦ୍ଧ ଜିଲ୍ଲାରେ ନିର୍ମାଣ ହେଉଥିବା ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳପଥର ନିର୍ମାଣାଧୀନ ଟନେଲ୍‌ ଭୁଶୁଡ଼ି ପଡ଼ିଛି । ଟନେଲ୍‌ରେ  ପ୍ରାୟ ୩୦ ମିଟର ବ୍ୟାସ ଓ ୧୦ ମିଟର ଗଭୀରର ଏକ ବିଶାଳ ଗାତ ସୃଷ୍ଟି ହୋଇଛି ।  ସ୍ଥାନୀୟ ଲୋକଙ୍କ ନଜର ବିଶାଳ ଗାତରେ ପଡ଼ିବା ପରେ ଏହା ପ୍ରଘଟ ହୋଇଛି । ତେବେ ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ ।

ସୂଚନା ଅନୁସାରେ ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଡେଣିଗଡ଼ ନିକଟରେ ନିର୍ମାଣାଧୀନ ଦୀର୍ଘତମ ଟନେଲ । ଏହି ଟନେଲ ଭୁଶୁଡ଼ିବା କାରଣରୁ ସୃଷ୍ଟି ହୋଇଛି ୩୦ମିଟରର ବିଶାଳକାୟ ଗର୍ତ୍ତ । କିଛିଦିନ ତଳେ ଏହି ଟନେଲ୍ କାମ ଶେଷ ହୋଇ ସାରିଥିବାରୁ ସେଠାରେ, କେହି ଶ୍ରମିକ ବା ଯନ୍ତ୍ରପାତି ନଥିଲା ବୋଲି କୁହାଯାଉଛି। ତେବେ ଅନ୍ୟ କୌଣସି ଆନୁଷଙ୍ଗିକ କାମ ହେଉଥିଲା ନା ନାହିଁ, କାହିଁକି ଟନେଲ୍‌ ଭୁଶୁଡ଼ିଲା ତାହା ତଦନ୍ତ ସାପେକ୍ଷ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପୁରୁଣାକଟକରୁ-ଦଶପଲ୍ଲା ମଧ୍ୟରେ ମୋଟ ୮ଟି ଟନେଲ୍‌ ରହିଛି । ସେଥିରୁ ଆଡ଼େଣିଗଡ଼ସ୍ଥିତ ଟନେଲ୍‌ର ଦୈର୍ଘ୍ୟ ୪ କିଲୋମିଟର । ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ି ପଡ଼ିଛି ୪ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ ।