ଭୁବନେଶ୍ୱର: ଅଫ୍ଲାଇନ୍ରେ ବି ପୈଠ କରିହେବ ଇ ଚାଲାଣ । ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ମୋଟର ଯାନ ନିୟମ ଉଲ୍ଲଙ୍ଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଗ୍ରହଣ କରାଯିବ । ଏନେଇ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି । ଇ-ଚାଲାଣ ଅର୍ଥ ପୈଠ ବେଳେ ଓଟିପି ସମସ୍ୟା ନେଇ ଅଭିଯୋଗ କରୁଥିବା ଜନସାଧାରଣଙ୍କ ଦାବି ତଥା ଦୁର୍ବଳ ଇଣ୍ଟରନେଟ୍ ଥିବା ଅଞ୍ଚଳର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ପୂର୍ବ ଭଳି ଅନଲାଇନରେ ମଧ୍ୟ ଇ-ଚାଲାଣ ପୈଠ କରାଯାଇପାରିବ ।

ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ। ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ ଓଟିପି ପାଉନଥିବା ଗାଡି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳରେ ଲୋକଙ୍କ ପାଇଁ ଅଫଲାଇନ ସହାୟକ ହେବ ବୋଲି କୁହାଯାଇଛି। ଅନଲାଇନରେ ପୂର୍ବଭଳି https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ। ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ଏହା ବିଶେଷ ଭାବେ ସହାୟକ ହେବ।