ଭୁବନେଶ୍ଵର: ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମିଟ୍ରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫାର୍ମା ନିବେଶକଙ୍କୁ ଅନୁରୋଧ ଓଡ଼ିଶା ଆସନ୍ତୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ସରକାର । ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୫ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ଫାର୍ମା ହବ ହେବ ଓଡ଼ିଶା । ରାଜ୍ୟକୁ ଫାର୍ମା ନିବେଶକଙ୍କ ପ୍ରଥମ ପସନ୍ଦ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଫାର୍ମା ନିବେଶକଙ୍କୁ ସରକାର ସବୁ ସୁବିଧା ଯୋଗାଇ ଦେବେ । ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି -୨୦୨୫ର ମୁଖ୍ୟ ଲକ୍ଷ୍ୟ ନିବେଶ, ନିଯୁକ୍ତି ଓ ଶିଳ୍ପ ପାର୍କ ପ୍ରତିଷ୍ଠା । ରାଜ୍ୟରେ ୨୦୩୦ ସୁଦ୍ଧା ୨୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆକର୍ଷିତ କରାଯିବ । ଏଥିଯୋଗୁ ୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଦୁଇଟି ବଡ଼ ପାର୍କ ‘ଓଡ଼ିଶା ଫାର୍ମା ପାର୍କ’ ଏବଂ ‘ଓଡ଼ିଶା ମେଡଟେକ୍ ପାର୍କ’ ପ୍ରତିଷ୍ଠା କରାଯିବ । ନୂଆ ନୀତିରେ ଶିଳ୍ପପତି ଓ ନିବେଶକଙ୍କ ପାଇଁ ମୁଖ୍ୟ ସୁବିଧା ହେଉଛି-ଜମି ରିହାତି । ଯେଉଁ କମ୍ପାନୀ ଅତିକମରେ ୨୦୦ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେବେ, ସେହି କଂପାନୀକୁ ଜମି ମୂଲ୍ୟ ଉପରେ ୫୦% ରିହାତି ମିଳିବ । ସେହିପରି ପ୍ଲାଣ୍ଟ ଓ ମେସିନ କିଣିବା ଖର୍ଚ୍ଚର ୩୦% ସରକାର ସବସିଡି ଆକାରରେ ଦେବେ । ଉଚ୍ଚ ଦକ୍ଷତା ସମ୍ପନ୍ନ କର୍ମଚାରୀଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ।