ଚାଷୀ ପ୍ରସଙ୍ଗରେ ବିଜେପିର ନାଟକବାଜିକୁ ଦେଖୁଛନ୍ତି ଓଡିଶାବାସୀ: ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର । ହୋମୱାର୍କ ନ କରି ଭୁଲ ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀମତୀ ମିଶ୍ର କହିଛନ୍ତି ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ପ୍ରାଇଭେଟ ସଂସ୍ଥା ଏଚଡ଼ିଏଫସିକୁ ମନୋନୀତ କରିଛନ୍ତି? ଧର୍ମେନ୍ଦ୍ରଙ୍କ ଏହି ବୟାନକୁ ନେଇ ମୁହଁ ଖୋଲି ବିଜେଡ଼ି ନେତ୍ରୀ ଶୀମୟୀ ମିଶ୍ର ଆହୁରୀ ମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜାଣି ଶୁଣି ଚାଷୀ ଭାଇ ଭଉଣୀଙ୍କୁ ଭୁଆଁ ବୁଲାଇବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତିି । ଯଦି ଚାଷୀମାନଙ୍କ ପ୍ରତି ଏତେ ଦରଦ ତେବେ ଚୁପ କାହିଁ ଥିଲେ । ପଦ୍ମପୁର ଉପନିର୍ବାଚନ ସମୟରେ ଏପରି କଥା କହି ଡ୍ରାମା କରୁଛନ୍ତି କେନ୍ଦ୍ର ମନ୍ତ୍ରୀ । ଓଡ଼ିଶାର ଲୋକମାନେ ସତ କଣ ଜାଣିବାକୁ ଚାହାଁନ୍ତି । ଏଚଡ଼ିଏଫସି କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକା ଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଏହାକୁ ଅସ୍ୱିକାର କରିପାରିବେ କି? ରାଜ୍ୟଗୁଡିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀଗୁଡିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ୍ର ହୋଇଥାଏ ଏବଂ ଓଡିଶାରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି । ପିଏମ୍‍ବିଏସୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥତ୍ପ ।ଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେତେବେଳେ କେନ୍ଦ୍ର ସରକାର ହେଉଛନ୍ତି ‘ଆପିଲେଟ ଅଥରିଟୀ’ । ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି । ଯଦି କେନ୍ଦ୍ର ମନ୍ତ୍ରୀଙ୍କର କୃଷକମାନଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡିଶାର କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କଥା ହେବା ଉଚିତ । ବାସ୍ତବରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି । ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।