ଭୁବନେଶ୍ଵର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ପରିବର୍ତ୍ତନ କରିଛନ୍ତି। ମୋଟ ୧୩ ଜଣ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ପଦବୀ ଓ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରୁ ୨୦୨୨ କ୍ୟାଡରର ୫ ଜଣ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ (Sub-Collector) ଭାବେ ନିଯୁକ୍ତ କରାଯାଇଛି। ଏନେଇ ସରକାରୀ ବିଜ୍ଞପ୍ତି ଜାରି ହୋଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ, ପ୍ରଥମେଶ ଅରବିନ୍ଦଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ମନିଶ୍ ଅଗ୍ରୱାଲ୍ ସମବାୟ ସମିତି ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ନେବେ।

ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସ୍ଥାପକ ନିର୍ଦ୍ଦେଶକ (MD) ଭାବେ ନିଯୁକ୍ତ କରାଯାଇଛି। ସିଦ୍ଧାର୍ଥ ଦାସ୍ ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ମଧୁସ୍ମିତା ସାହୁଙ୍କୁ TE & SCERTର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ଉପମା କାଲୁଙ୍କୁ ଉତ୍ତରାଞ୍ଚଳ RDCଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏହାସହ ଲିଲି କୁମାରୀ କୁଲ୍ଲୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହୋଇଛନ୍ତି। ସୋମେଶ ଉପାଧ୍ୟାୟ ବୟନ ଓ ହସ୍ତତନ୍ତ ଶିଳ୍ପର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।

ଅକବରମ ଶସ୍ୟ ରେଡ୍ଡୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଭାବେ ପୋଷ୍ଟିଂ ମିଳିଛି। ସେହିପରି ଅରୁଗୁଲା ସ୍ନେହାଙ୍କୁ ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସମିର୍ କୁମାର ଜେନାଙ୍କୁ ଗଞ୍ଜାମ୍ ଏବଂ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ପ୍ରଶାସନକୁ ଆହୁରି ସୁଚାରୁ ଓ କାର୍ଯ୍ୟକ୍ଷମ କରିବା ପାଇଁ ଏହି ଅଦଳବଦଳ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।