ଭୁବନେଶ୍ୱର : ଚିଟଫଣ୍ଡ ଚୋରିରେ ସବୁଠୁ ଅଧିକ ଅଭିଯୁକ୍ତ ନିଜେ ରାଜ୍ୟ ସରକାର । ନିଜେ ରାଜ୍ୟ ସରକାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ତେଣୁ ଓଡିଶା ସରକାର ଆଜି କାଠଗଡାରେ ଠିଆ ହୋଇଛନ୍ତି । ଆଉ ଯେଉଁ ସତ୍ୟପାଠ ହୋଇଛି, ଯେ କିଛି ପ୍ରଭାବଶାଳୀ ଲୋକ ଏହାକୁ ଅଟକାଉଛନ୍ତି, ଏହା କେବେ ବି ମିଛ ନୁହେଁ । ରାଜ୍ୟ ସରକାର ନିଜେ ଚିଟଫଣ୍ଡ ଦୁର୍ନୀତିକୁ ଶୀତଳ ଭଣ୍ଡାରକୁ ଠେଲି ଦେବା ପାଇଁ ଏବଂ ଲୋକ କେମିତି ପଇସା ଫେରି ପାଇବେ ନାହିଁ ସେଥିପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଯେଉଁ ରାଜନୈତିକ ଲୋକ ମାନେ ଛନ୍ଦି ହୋଇଥିଲେ ଏବଂ ଯେଉଁ କମ୍ପାନୀ ଗୁଡ଼ିକ ମୁଖ୍ୟ ଭୂମିକା ନେଇ ଲୋକଙ୍କୁ ଠକି ଥିଲେ, ସେମାନଙ୍କର କିଛି ନହେବାର ଏକ ମାତ୍ର କାରଣ ହେଉଛି ରାଜ୍ୟ ସରକାର ପ୍ରମାଣ ନଷ୍ଟ କରିଛନ୍ତି । ପ୍ରଥମ 6 ମାସ କ୍ରାଇମବ୍ରାଞ୍ଚ ତଦନ୍ତ ଆଳରେ ପ୍ରମାଣ ନଷ୍ଟ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ଅନେକ ଲୋକ କ୍ଲିନ ଚିଟ୍ ପାଇଲା ଭଳି ସ୍ଥିତିକୁ ଆସିଛନ୍ତି ।
ଯେଉଁ ଚିଟଫଣ୍ଡ କମ୍ପାନୀର ମାଲିକ ମାନେ ହୁଅନ୍ତୁ ବା ଯେଉଁ ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀ ମାନେ ପୃଷ୍ଠପୋଷକତା ଦେଉଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସରକାର ନିଜେ ଚେଷ୍ଟା କରି ରୋକୁଛନ୍ତି । ସେମାନଙ୍କ ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ ନହେବ ସେଥିପାଇଁ କେତେବେଳେ ଶାସକ ଦଳକୁ ଉପଯୋଗ କରି ପୁଣି କେତେବେଳେ ସରକାରକୁ ଉପଯୋଗ କରି ତାଙ୍କ ପାଇଁ ସୁରକ୍ଷା ବଳୟ ତିଆରି କରୁଛନ୍ତି ।
ଯେଉଁ କ୍ଷତିଗ୍ରସ୍ତ ଲୋକ ମାନେ ଠକାମୀରେ ପଡ଼ିଥିଲେ, ନିଷ୍ପତ୍ତି ହୋଇଥିଲା ଯେ କ୍ଷୁଦ୍ର ଜମାକାରୀ ମାନଙ୍କର ପଇସା ଫେରାଇବା କଥା । 2014 ମସିହା ପୂର୍ବରୁ ସରକାର କର୍ପସ ଫଣ୍ଡର କଥା କହିଲେ । ପରବର୍ତ୍ତୀ ସମୟରେ ସେ କର୍ପସ ଫଣ୍ଡ ପାଣିକୁ ଗଲା କି ସମୁଦ୍ରକୁ ଗଲା ଜଣାନାହିଁ । ତା ପରେ ଯେଉଁ ସମ୍ପତ୍ତି ସବୁ ବର୍ଜ୍ୟାପ୍ତି କରାଗଲା, ସେଥିରୁ ରାଜ୍ୟ ସରକାର ପାଖାପାଖି 650 କୋଟି ଟଙ୍କା ରାଜ୍ୟ ସରକାର ଆଦାୟ କରିଛନ୍ତି । ହେଲେ ସେ ପଇସା ବି ସାଧାରଣ ଲୋକଙ୍କ ପାଖକୁ ଫେରିଲା ନାହିଁ ।
ନା ସରକାର ଦୋଷୀକୁ ଦଣ୍ଡ ଦେଉଛନ୍ତି । ନା କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ ପଇସା ଫେରାଇବାର ପ୍ରକ୍ରିୟା ଠିକ୍ ସେ ଚାଲୁଛି । ଆଫିଡ଼େଭିଟ ହେଲା, କମିଶନ ବସିଲା, କମିଶନର କାର୍ଯ୍ୟକାଳ ସରିଲା, ତାଲିକା ହେଲା । କିନ୍ତୁ ସବୁ ହେଲା ପରେ ବି ସରକାର ଟଙ୍କା ଫେରାଇବା ପାଇଁ ପ୍ରସ୍ତୁତ ନାହାନ୍ତି ।