ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁଥିବା ପ୍ରାକ୍–ବିଦ୍ୟାଳୟ ଶିଶୁମାନଙ୍କ ପୋଷାକର ସରକାରୀ ମୂଲ୍ୟ ବଢ଼ାଯାଇଛି। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନା ଅଧୀନରେ ଶିଶୁମାନେ ଏଣିକି ଉଚ୍ଚମାନର ୟୁନିଫର୍ମ ପିନ୍ଧିବେ। ନୂତନ ସଂଶୋଧନ ଅନୁଯାୟୀ, ବାଳକଙ୍କ ପୋଷାକର ମୂଲ୍ୟ ୧୦୦ ଟଙ୍କାରୁ ବଢ଼ି ୧୭୫ ଟଙ୍କା କରାଯାଇଛି। ସେହିପରି ବାଳିକାଙ୍କ ପୋଷାକ ପାଇଁ ପୂର୍ବରୁ ଥିବା ୧୫୦ ଟଙ୍କା ବଢ଼ି ୨୨୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଜୋତା ପାଇଁ ଦିଆଯାଉଥିବା ଖର୍ଚ୍ଚ ମଧ୍ୟ ୧୦୦ ଟଙ୍କାରୁ ବଢ଼ି ୧୫୦ ଟଙ୍କା କରାଯାଇଛି।
ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ମୁତାବକ, ୩ରୁ ୬ ବର୍ଷ ବୟସର ପ୍ରାକ୍–ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ ଡ୍ରେସ୍, ଜୋତା, ମୋଜା ଓ ପ୍ଲେଟରର ମୂଲ୍ୟରେ ଏହି ସଂଶୋଧନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। କପଡ଼ାର ବଢ଼ୁଥିବା ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟ ସହିତ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ଅକ୍ଷୁଣ୍ଣ ରଖିବା ଲକ୍ଷ୍ୟରେ ଏହି ମୂଲ୍ୟ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ମୂଲ୍ୟ ୨୦୨୬–୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ବୋଲି ସରକାର ସୂଚନା ଦେଇଛନ୍ତି।