ଭୁବନେଶ୍ଵର: ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ନବୀନଙ୍କ ଏଥରର ଗସ୍ତକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି । ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚନ୍ଦ୍ରଶେଖର ପତି ଓ ଭିକେ ପାଣ୍ଡିଆନ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।
ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହିଁ । ଦଳର ଆଭିମୁଖ୍ୟ ସମ୍ପର୍କରେ ନବୀନ ଦିଲ୍ଲୀରେ ଘୋଷଣା କରିବାର ସମ୍ଭାବନା ରହିଛି । ଅନ୍ୟପଟେ ନବୀନ ଅସୁସ୍ଥ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟେଲିଫୋନ କରି ଦିଲ୍ଲୀରେ ସାକ୍ଷାତ ପାଇଁ ପରାମର୍ଶ ଦେଇଥିଲେ । ଏଣୁ ନବୀନ ଦିଲ୍ଲୀ ଗଲେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ସେପଟେ ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀରୁ ସୁସ୍ଥ ପରେ ଗତକାଲି ପ୍ରଥମ ବୈଠକ କରିଛନ୍ତି ନବୀନ । ନବୀନ ନିବାସରେ ବସିଥିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ନବୀନ ଦଳକୁ ପରିଚାଳନା କରିବା, ଦଳର ରଣନୀତିକୁ ଦିଗ ଦେବା ଓ ନୀତି ନିର୍ଦ୍ଧାରଣ କରିବା ନେଇ ଏହି ବୈଠକରୁ ବଡ଼ ବାର୍ତ୍ତା ଦେଇଛନ୍ତି । ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି କିପରି ସୁଦୃଢ କରାଯିବ ଏବଂ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପିଏସି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।