ଆସନ୍ତାକାଲି ଓଡ଼ିଶା ବନ୍ଦ, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ (ନବନିର୍ମାଣ କୃଷକ ସଂଗଠନ) ପକ୍ଷରୁ ଏହି ବନ୍ଦ ପାଇଁ ଆହ୍ବାନ ଦିଆଯାଇଥିବା ବେଳେ, ଏହାକୁ କଂଗ୍ରେସ ଏବଂ ବିଜେଡି ଦଳ ସମର୍ଥନ କରିଛି। ଓଡ଼ିଶା ବନ୍ଦ ପାଳନ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି। ସେ ବନ୍ଦକୁ ସମର୍ଥନ ଜଣାଇବା ପାଇଁ ସମସ୍ତ ଜିଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ଓ ପ୍ରଦୂଷଣ ସାର୍ଟିଫିକେଟ (PUCC) ଆଳରେ ଲାଗୁ ହେଉଥିବା ମାତ୍ରାଧିକ ଜରିମାନାକୁ ବିରୋଧ କରାଯାଇଛି। ଏହି ଦାବିଗୁଡ଼ିକୁ ନେଇ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ଯୋଗୁ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଅନେକ କାର୍ଯ୍ୟକଳାପ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ବ୍ୟାଙ୍କିଙ୍ଗ, ଡାକ ଓ ରାଜ୍ୟ ପରିବହନ ସେବା ଉପରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିପାରେ। ତେବେ, ଅତ୍ୟାବଶ୍ୟକୀୟ ସେବାଗୁଡ଼ିକୁ ବନ୍ଦରୁ ବାଦ ଦିଆଯାଇଛି। ମେଡିକାଲ ଦୋକାନ, ହସ୍ପିଟାଲ, ବିମାନବନ୍ଦର, ଡିପାର୍ଟମେଣ୍ଟାଲ ଷ୍ଟୋର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ରହିବାର ସମ୍ଭାବନା ରହିଛି। ସାର୍ବଜନୀନ ପରିବହନ ସେବା ବନ୍ଦ ରହିବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।