ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଛି। ତେବେ ଆଜି ଦିନ ୧୦.୩୦ରେ ବିଧାନସଭା ଆରମ୍ଭ ହେଉ ହେଉ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଦିନ ୧୨ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।
ଆଜି ବିଧାନସଭା ଆରମ୍ଭରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଥିଲା। ଏଣୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶ ପରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜ ଉତ୍ତର ରଖୁଥିଲେ। ଏହି ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ସଦସ୍ୟଙ୍କୁ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଯାହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଦିନ ୧୨ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।