ଭୁବନେଶ୍ବର: ଏଥର ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ସାରା ବିଶ୍ବ ଦେଖିବ ଓଡ଼ିଶା କଳା–ସଂସ୍କୃତିର ଝଲକ ଓ ମହାନ ପରମ୍ପରା, ଐତିହ୍ୟ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ଦିଆଯାଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମଡ଼େଲ ଚୂଡ଼ାନ୍ତ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି। ମଡେଲ ମନୋନୀତ ସହ ଏ ସମ୍ପର୍କୀତ ମାର୍ଗଦର୍ଶିକା ଚିଠିରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍ରେ ଓଡ଼ିଶାର ମେଢ଼ ସ୍ଥାନ ପାଇଛି। ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗାଁର ଡିଜାଇନକୁ କେନ୍ଦ୍ର ମୋହର ମାରିଥିବାବେଳେ ଏହି ଅବସରରେସମ୍ବଲପୁରୀ ନୃତ୍ୟ ପରିବେଷଣ ପାଇଁ ଅନୁମତି ମିଳିଛି। ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିକିଶୋର ମହାରଣା। ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହେଉଛିା ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇବ। ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ–ସଙ୍ଗୀତ ରହିବ। ଆଗାମୀ ବୈଠକରେ ଏଦିଗରେ ଅଧିକ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।