ଭୁବନେଶ୍ୱର:- କଥା ଦେଇଥିଲେ ସାତ ଜନମର ସାଥୀ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ସାଥୀରେ ଚାଲିବେ କିନ୍ତୁ ଜୀବନର ଅଧାବାଟରେ ଠକିଦେଲେ ସ୍ୱାମୀ । ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ । ସ୍ୱାମୀ ବର୍ଷକର ବିବାହରେ ସ୍ତ୍ରୀକୁ ପର କରିଦେଲେ ଓଏଏସ୍ ବାବୁ । ଭୁବନେଶ୍ୱର ମହିଳା ଥାନାରେ ଏପରି ଅଭଯୋଗ କରିଛନ୍ତି ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ପତ୍ନୀ ଅର୍ଚ୍ଚନା ଦାଶ ।
ଅଭିଯୋଗ ଅନୁସାରେ, ଗତ ବର୍ଷ ଫେବୃଆରୀ ୨୧ରେ ବୈଦିକ ରୀତିନୀତିରେ ସାର୍ଥକଙ୍କ ସହ ଅର୍ଚ୍ଚନାଙ୍କର ବିବାହ ହୋଇଥିଲା ଏବଂ ଏହି ଦମ୍ପତିଙ୍କୁ ମେ ୭, ୨୦୨୫ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅ ଜନ୍ମ ହେବାର ଚାରି ଦିନ ପରେ କାହାକୁ ନଜଣାଇ ସାର୍ଥକ ହସ୍ପିଟାଲ ବେଡ଼ରେ ତାଙ୍କୁ ଛାଡି ଚାଲିଯାଇଥିଲେ । ଏବଂ ସ୍ତ୍ରୀ ଓ ସନ୍ତାନଙ୍କ ସହ ଯୋଗାଯୋଗ ରଖି ନଥିଲେ। ତେବେ ପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯାତନାର ଅଭିଯୋଗ କରି ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଅର୍ଚ୍ଚନା।

ଅର୍ଚ୍ଚନା ଅଭିଯୋଗ କରିଛନ୍ତି, “ମୋ ସ୍ୱାମୀ ମୋ ଫୋନ୍ ଓ ମେସେଜ୍ର ଉତ୍ତର ଦେଉନାହାନ୍ତି। ମୋ ଓ ମୋ ସନ୍ତାନ ପ୍ରତି ନିଷ୍ଠୁରତା କରାଯାଇଛି।”ଅନ୍ୟପଟେ ସ୍ୱାମୀଙ୍କ ସହ ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ତାଙ୍କୁ ଓ ତାଙ୍କ ନବଜାତ ପୁଅକୁ ସ୍ୱାମୀ ଗ୍ରହଣ କରୁ ନଥିବା ଅଭିଯୋଗ କରିଥିବାବେଳେ ଅନ୍ୟପକ୍ଷେ ସାର୍ଥକ ମହାପାତ୍ର ସବୁ ଜବାବ ଥାନାରେ ଦେବେ ବୋଲି କହିଛନ୍ତି। ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, “ଆମେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ସାର୍ଥକ ସକାରାତ୍ମକ ପ୍ରତିକ୍ରିୟା ଦେଇନଥିଲେ। ତେଣୁ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛୁ।” ପୋଲିସ ଏହି ମାମଲାର ନିରପେକ୍ଷ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା କରାଯାଉଛି।