Nuapada By-Election: ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି । ଏଥାରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ମଇଦାନରେ ୧୪ ଜଣ ପ୍ରାର୍ଥୀ ରହିଛନ୍ତି । ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ପୂର୍ବତନ ବିଜେଡି ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ୍ ଦେଇଥିଲା । ଅନ୍ୟଦିଗରେ କଂଗ୍ରେସ ଘାସିରାମ ମାଝୀଙ୍କ ଉପରେ ଭରସା କରିଛି ।

ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ବରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଇଭିଏମ୍ ମେସିନକୁ ଯାଞ୍ଚ କରାଯାଇଛି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ ବୁଥ୍ ପ୍ରସ୍ତୁତ ହୋଇଛି । ୪୭ଟି ସମ୍ବେଦନଶୀଳ ବୁଥ୍, ଓ ୮ଟି ଅତିସମ୍ବେଦନଶୀଳ ବୁଥ୍ ମାଓ ଅଞ୍ଚଳରେ ରହିଛି । ସେହିପରି ୬ଟି ସଖି ବୁଥ୍ର ବ୍ୟବସ୍ଥା କରାଯାଇଛି । ନୂଆପଡ଼ାରେ ୪୭ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ସେହିପରି ନୂଆପଡ଼ାରେ ଅନ୍ୟ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ ।

୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍। ସମ୍ବେଦନଶୀଳ ବୁଥ୍ରେ ୪ଟା ଯାଏଁ, ଅନ୍ୟ ସବୁ ବୁଥ୍ରେ ୫ଟା ଯାଏଁ ଭୋଟିଂ ହେବ। ସୁରକ୍ଷା ଦାୟିତ୍ବରେ ଅଛନ୍ତି ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ। ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ।ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ କରାଯାଇଛି । ୬ଟି ପିଙ୍କ ବୁଥ୍ କରାଯାଇଛି । ସମସ୍ତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ ଓ ଅନ୍ୟାନ ସୁବିଧାସୁଯୋଗର ବ୍ୟବସ୍ଥା ବି ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜଣେ ଏସପି ଓ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଇନ୍ସପେକ୍ଟର, ୧୫୧ ଏସଆଇ ଓ ଏଏସଆଇ, ୧୦୩ ହାବିଲଦାର, ୪୭୭ଜଣ କନେଷ୍ଟବଲ, ୧୫୯ ଏପିଆର କନେଷ୍ଟବଲ, ୩୭ ଓଏପିଏଫ, ୨୮୭ଜଣ ଗୃହରକ୍ଷୀ ସମେତ ସିଏପିଏଫ ୧୪ କମ୍ପାନି, ଏସଏପି ୬ପ୍ଲାଟୁନ ୨ସେକ୍ସନ ଯବାନ ନିୟୋଜିତ ହୋଇଛନ୍ତି ।