ଆସନ୍ତା ୨୮ରେ ପଶ୍ଚିମ ଓଡିଶାର ଗଣପର୍ବ, ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର କୃଷିଭିର୍ତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ସମ୍ବଲପୁରର ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇର ଶୁଭ ଲଗ୍ନ ରହିଛି। ଏହି ଦିନ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ନିକଟରେ, ଆସନ୍ତା ୨୮ ତାରିଖ ୧୦ଟା ୩୩ରୁ ୧୦ ଟା ୫୫ ସମୟରେ ନବାନ୍ନ ଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ, ପଶ୍ଚିମ ଓଡି଼ଶାବାସୀ ନୂଆ ଖାଇବେ। ପ୍ରତିବର୍ଷ ନୂଆଁଖାଇ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ନୂଆ ଉନ୍ମାଦନା ଆସିଥାଏ। ଏହା କୃଷି, ଶାନ୍ତି, ମୈତ୍ରୀ ଓ ପୂଜାପୂଜ୍ୟର ପର୍ବ। ନୂଆଁଖାଇ ପର୍ବ ଚାଷୀଙ୍କଠାରୁ ଆରମ୍ଭ ହୁଏ। ଆଣ୍ଠୁଏ ବହଳର କାଦୁଅରେ ଘାଣ୍ଟି ସାଉଣ୍ଟି ହୋଇ ଚାଷୀ ଯେଉଁ ପ୍ରଥମ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିଥାଏ ତାକୁ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲଗାଇ ଆତ୍ମତୃପ୍ତି ଲାଭ କରେ । ଆପଣଙ୍କୁ କହିରଖୁଛୁ ଯେ, ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଅତ୍ୟନ୍ତ ସ୍ୱତନ୍ତ୍ର । ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଜନସାଧାରଣ ନିଜ ନିଜର ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗି କରିଥାନ୍ତି । ନୂଆଁ ସରିଆ ଧାନରୁ ପ୍ରସ୍ତୁତ ହୋଇଥିବା ଚୁଡା, ପିଠା, କ୍ଷୀରି, ସାରୁପତ୍ର ଭଜା ସମେତ ଅନେକ ରକମର ଭୋଗ ଲାଗି କରାଯାଇଥାଏ । ଏଥିସହ ନୂଆଁଖାଇ ଜୁହାର ଓ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।