(ସୌମ୍ୟ ରଂଜନ ସେଠୀ): ଆଜି ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ । ଦୁଲୁକୁଛି ପଶ୍ଚିମ ଓଡିଶା । ଗଣପର୍ବ ନୂଆଁଖାଇ ପାଇଁ ଘରେ ଘରେ ନାନା ପିଠା ଓ ଖିରିର ମହକ । ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆଜି ସକାଳ ୮ଟା ୧୦ ରୁ ୮ଟା୪୦ ମିନିଟ୍ ମଧରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି ହେବ । ଏହାପରେ ଏକାଠି ବସି ପରିବାର ଲୋକ ନବାନ୍ନ ଭକ୍ଷଣ କରିବେ । ନୂଆଖାଇ ସହ ଯୋଡି ହୋଇ ରହିଛି ଜୁହାର ଭେଟ ପରମ୍ପରା ।
ଏଥିପାଇଁ ସହରରୁ ଗାଁ ଗଣ୍ଡା ସବୁଆଡେ ନୂଆଖାଇର ମାହୋଲ । ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଖାଇ ପାଳିବାକୁ ଘରକୁ ଫେରିଛନ୍ତି । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପାଖରେ ଆଜି ନବାନ୍ନ ଲାଗି ହେବ । ସେହିପରି ପଶ୍ଚିମଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ , ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହେବ । ଏହା ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇ ଉଠିଛି । ପୂର୍ବରୁ ଶୁଭ ସମୟ ଧାର୍ୟ୍ୟ କରାଯାଇଛି । ତେବେ ସେହି ସମୟରେ ହିଁ ନୂଆଖାଇ ଉତ୍ସବ ପାଳନ ହେବ ।