ନୂଆଦିଲ୍ଲୀ: ଅଗ୍ନିବୀର ଯୋଜନାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ୱର ତୀବ୍ରତର ହେଉଥିବାବେଳେ ଏହାରି ମଧ୍ୟରେ ସ୍ଥଳସେନା ପକ୍ଷରୁ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଜୁଲାଇରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ନୂଆ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ନିବୀରଙ୍କୁ ୪ ବର୍ଷ ଧରି କାର୍ଯ୍ୟ କରିବାକୁ ପଡିବ । ତେବେ ପ୍ରାର୍ଥୀମାନଙ୍କର ବୟସ ସୀମା ୧ ମାର୍ଚ୍ଚ ୨୦୨୨ ରୁ ୧ ଏପ୍ରିଲ ୨୦୨୩ ମଧ୍ୟରେ ୧୭ ବର୍ଷ ୬ ମାସରୁ ୨୧ ବର୍ଷ ହେବା ଆବଶ୍ୟକ । କେବଳ ୨୦୨୨-୨୩ ନିଯୁକ୍ତି ପ୍ରକ୍ରିୟାରେ ବୟସକୁ କୋହଳ କରାଯାଇଛି । ଚଳିତ ବର୍ଷ ୧୭ ବର୍ଷ ୬ ମାସ ରି ୨୩ ବର୍ଷ ବୟସର ଯୁବକମାନେ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇ ପାରିବେ । କେବଳ ଚଳିତ ବର୍ଷ ଲାଗି ଏହି ନିୟମ ଲାଗୁ ହେବ ।
ଅଗ୍ନିବୀର (ସାଧାରଣ ବର୍ଗ) ଲାଗି ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ ହୋଇଥିବା ଆବଶ୍ୟକ । ଅଗ୍ନିବୀର(ବୈଷୟିକ) ଲାଗି ଯୁକ୍ତ ଦୁଇ ଦଶମ ଶ୍ରେଣୀ ରଖାଯାଇଛି । ଅଗ୍ନିବୀର (କିରାଣୀ ଓ ଷ୍ଟୋର କିପର) ଲାଗି ଯୁକ୍ତ ଦୁଇ ଯେକୌଣସି ବର୍ଗରେ ସର୍ବାଧିକ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଅଗ୍ନିବାୀର (ଟ୍ରେଡସ ମ୍ୟାନ୍) ଲାଗି ଦଶମ ପାସ ରହିଥିବା ଜଣାପଡିଛି । ନୂଆ ନିଯୁକ୍ତି ପ୍ରକିୟାରେ ଅବସର ପରେ ପେନସନ ପ୍ରକ୍ରିୟାକୁ ବାଦ୍ ଦିଆଯାଇଛି । ସେନାରେ ୪ ବର୍ଷ କାର୍ଯ୍ୟ କରିବା ପରେ ସେବା ନିଧି ପ୍ୟାକେଜରେ ୧୦ ଲକ୍ଷ ଟଙ୍କା ପ୍ରଦାନ ପ୍ରଦାନ କରାଯିବ । କାର୍ଯ୍ୟରତ ଥିବା ସମୟରେ କୌଣସି ଅଗ୍ନିବୀରଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୪୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାଛଡା ବୀମା ଲାଗି ୪୮ ଲକ୍ଷ ଟଙ୍କା ରଖାଯାଇଛି । ନିଯୁକ୍ତିର ପ୍ରଥମ ବର୍ଷରେ ମାସିକ ୩୦ ହଜାର ଟଙ୍କା, ଦ୍ୱିତୀୟ ବର୍ଷରେ ମାସିକ ୩୩ ହଜାର ଟଙ୍କା, ତୃତୀୟ ବର୍ଷରେ ମାସିକ ୩୬, ୫୦୦ ଟଙ୍କା ଓ ଶେଷ ବର୍ଷରେ ମାସିକ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।