ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଶୁକ୍ରବାର ସଂଧ୍ୟା ସୁଦ୍ଧା ଯାଞ୍ଚ ଶେଷ ହେବା ସହ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ ୧୪ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ଚାହିଁଲେ ୨୪ ତାରିଖରେ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ପଡିବ । ୧୩ରେ ଗଣତି ହେବ ।
ଉପନିର୍ବାଚନ ପାଇଁ ଝାରସୁଗୁଡ଼ାରେ ପହଞ୍ଚି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ସେ ସବୁର ତଦାରଖ କରୁଛନ୍ତି ସାଧାରଣ ପର୍ୟ୍ୟବେକ୍ଷକ ଡ. ଅହମ୍ମଦ ଇକବାଲ ଓ ଖର୍ଚ୍ଚ ପର୍ୟ୍ୟବେକ୍ଷକ ଶିତୋଲେ ସତୀଶ ବିଶ୍ୱନାଥ । ନିର୍ବାଚନ ସଂକ୍ରାନ୍ତ କୌଣସି ଅଭିଯୋଗ ଥିଲେ ଏହି ପର୍ୟ୍ୟବେକ୍ଷକଙ୍କୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟସ୍ଥିତ ପ୍ରକୋଷ୍ଠରେ ଅଥବା ମୋବାଇଲ ନମ୍ବରରେ ଯୋଗାଯୋଗ କରିଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଉପନିର୍ବାଚନ ପାଇଁ ‘ସିଭିଜିଲ’ ନାମକ ଏକ ଆପ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଞ୍ଚ କରାଯାଇଥିବା ନେଇ ମଧ୍ୟ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ବାହାର କରିସାରିଥିଲା ବେଳେ ବିଜେଡି ପକ୍ଷରୁ ଗୁରୁବାର ଦିନ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ କ୍ୟାବିନେଟ୍ ମନ୍ତ୍ରୀ, ଜଣେ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି। ଏହି ନେତାମାନେ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ।ବିଜେଡିର ଏହି ଷ୍ଟାର ପ୍ରଚାରକଙ୍କ ତାଲିକାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ରୀତା ସାହୁ ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ଭଳି ବରିଷ୍ଠ ନେତା ସାମିଲ ଅଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବତନ ରାଜ୍ୟ ସଭାପତି ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ବିଜେଡିର ପ୍ରାର୍ଥୀ ତଥା ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ।