କାମ ନାହିଁ ତ ଚାକିରୀ ନାହିଁ

ଆଉ ଚାଲିବନି ମନ ମାନି | ଅପାରଗ ଓ ଅଯୋଗ୍ୟ ବାବୁଙ୍କୁ ପଡିବ ମୋହନ ଛାଟ | ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର । କେଉଁ ବିଭାଗରେ କେତେ ଅଛନ୍ତି ଅପାରଗ ବାବୁ । ଆଉ କେତେଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର | ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ । ଏହାକୁ ନେଇ ଏବେ ସବୁ ବିଭାଗକୁ ରିପୋର୍ଟ ଦେବାକୁ କହିଛନ୍ତି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

ସବୁଠାରୁ ବଡ଼ କଥା ହେଉଛି, ଅଯୋଗ୍ୟ ବାବୁଙ୍କୁ ନେଇ ପ୍ରମାଣ ମିଳିଲେ, ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ପରୀକ୍ଷା ହେବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରୁଥିବା ବାବୁଙ୍କ ନାଁ ପଦୋନ୍ନତି ତାଲିକାରେ ରହିବ ନାହିଁ । ପଦୋନ୍ନତି ପାଇବା ଯୋଗ୍ୟ ଥିଲେ ସିଲ୍‌ଡ ଲଫାପାରେ ରଖାଯିବ । ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଚାକିରିଆଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନ୍‌ସେନ୍‌ ଦେବାକୁ ହୋଇଥିଲା ନିଷ୍ପତ୍ତି । କେତେଜଣଙ୍କୁ ବାସ୍ତବରେ ପେନ୍‌ସନ୍‌ ପ୍ରମାଣପତ୍ର ମିଳିଛି, ନିର୍ଦ୍ଧିଷ୍ଟ ଫର୍ମାଟରେ ଦେବାକୁ ନିର୍ଦ୍ଦେଶ । ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନର ନିର୍ଦ୍ଦେଶ ଦେଇଥିଲେ ସରକାର । କେଉଁ ଅଧିକାରୀ କେବେ ଓ କେଉଁ ସ୍ଥାନକୁ ଗସ୍ତ କରିଛନ୍ତି ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇଛି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।