ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅଞ୍ଚଳର ତଣ୍ଟାତଣି ସତ୍ତ୍ୱେ ଭାରତରେ LPG ଓ LNG ଯୋଗାଣରେ କୌଣସି ଅଭାବ ହେବ ନାହିଁ ବୋଲି କେନ୍ଦ୍ର ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରୀ ସୂଚନା ଅନୁସାରେ ବିଶ୍ୱବ୍ୟାପୀ ଭାବେ ଅଶୋଧିତ ତୈଳର କୌଣସି ଅଭାବ ନାହିଁ ଏବଂ ଭାରତର ଇନର୍ଜି ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ସୂତ୍ର ଅନୁସାରେ ଭାରତକୁ ଗ୍ୟାସ୍ ଯୋଗାଣ କରିବାକୁ ଅଷ୍ଟ୍ରେଲିଆ ଓ କାନାଡା ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଏହା ସହିତ ନିକଟରେ ଭାରତ ସରକାର UAE ଓ ଆମେରିକା ସହ ନୂଆ ଊର୍ଜା ଚୁକ୍ତି କରିଥିବା ଜଣାପଡ଼ିଛି, ଯାହା ଦେଶର ଗ୍ୟାସ୍ ଓ ତୈଳ ଯୋଗାଣକୁ ଆହୁରି ମଜବୁତ କରିବ।
କେନ୍ଦ୍ର ସରକାର ବିଭିନ୍ନ ବିକଳ୍ପ ଉତ୍ସ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି। ତୈଳ ଉତ୍ପାଦନକାରୀ ଦେଶ ଓ ଆନ୍ତର୍ଜାତୀୟ ଟ୍ରେଡର୍ସଙ୍କ ସହ ନିରନ୍ତର ଯୋଗାଯୋଗ ରଖି ଯୋଗାଣ ସୁନିଶ୍ଚିତ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ, ଭାରତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅଶୋଧିତ ତୈଳ ମହଜୁଦ୍ ରହିଛି। ତେଣୁ ଆନ୍ତର୍ଜାତୀୟ ପରିସ୍ଥିତି ଯେପରି ବଦଳୁ ନାହିଁ କାହିଁକି, ଦେଶରେ ତୈଳ ଓ ଗ୍ୟାସ୍ ଯୋଗାଣରେ କୌଣସି ତତ୍କାଳିକ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସରକାର ଆଶ୍ୱାସନ ଦେଇଛନ୍ତି।