ଦେଶରେ ଏଲପିଜି ଅଭାବ ନାହିଁ, ସରକାରଙ୍କ ଆଶ୍ୱାସନ

ନୂଆଦିଲ୍ଲୀ: ଦେଶରେ ଏଲପିଜିର କୌଣସି ଅଭାବ ନଥିବାକୁ ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପ୍ରେସମିଟ୍‌ରେ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି ଓ ରିଫାଇନାରୀଗୁଡ଼ିକ ସର୍ବୋଚ୍ଚ କ୍ଷମତାରେ ଚାଲୁଛି। ସେ କହିଥିଲେ, ପ୍ରତିବର୍ଷ ତୈଳ ଶୁଦ୍ଧିକରଣ କ୍ଷମତା ପ୍ରାୟ ୨୬ କୋଟି ଟନ୍। ତେଣୁ ଲୋକମାନେ ପେଟ୍ରୋଲ୍ ପମ୍ପରେ ଲମ୍ବା ଲାଇନ୍‌ ଲଗାଇବାର ଆବଶ୍ୟକତା ନାହିଁ ଓ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ନେଇ ମଧ୍ୟ କୌଣସି ଭୟ କରିବା ଦରକାର ନାହିଁ।

ସୁଜାତା ଶର୍ମା ଆହୁରି କହିଛନ୍ତି ଯେ, ଗତ ୨୫ ଦିନରେ ପ୍ରାୟ ୨.୫ ମିଲିୟନ୍ ନୂତନ PNG ସଂଯୋଗ ଦିଆଯାଇଛି ଓ ୨.୨ ମିଲିୟନ୍ ଗ୍ରାହକ LPG ଠାରୁ PNG କୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ ୨.୫ ମିଲିୟନ୍ ନୂତନ ଆବେଦନ ମଧ୍ୟ ମିଳିଛି। ଦେଶର କୌଣସି ବଣ୍ଟନ କେନ୍ଦ୍ରରେ LPG ଅଭାବ ନଥିବା ସେ ଜଣାଇଛନ୍ତି। ଅନଲାଇନ୍ ବୁକିଂ ସୁଚାରୁ ଭାବେ ଚାଲୁଛି ଓ ୨୬ଟି ରାଜ୍ୟରେ ପ୍ରାୟ ୨୨,୦୦୦ ଟନ୍ ବାଣିଜ୍ୟିକ LPG ଆବଣ୍ଟନ କରାଯାଇଛି।

କିରୋସିନ୍‌କୁ ବିକଳ୍ପ ଇନ୍ଧନ ଭାବେ ଅତିରିକ୍ତ ଆବଣ୍ଟନ କରାଯାଇଥିବା ବେଳେ, ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। କଳାବଜାରି ଓ ମହଜୁଦ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସଚେତନ ରହିଛନ୍ତି। ସେହିପରି, ଘରୋଇ PNG ସଂଯୋଗ ଓ ପରିବହନ ପାଇଁ CNG ୧୦୦% ଉପଲବ୍ଧ କରାଯାଉଛି। ଅନେକ କମ୍ପାନୀ ମାଗଣା ଗ୍ୟାସ୍, ସୁରକ୍ଷା ଜମାରେ ଛାଡ଼ ଭଳି ପ୍ରୋତ୍ସାହନ ମଧ୍ୟ ଘୋଷଣା କରିଛନ୍ତି। PNG ସଂଯୋଗ ବୃଦ୍ଧି ପାଇଁ ସରକାର ନୂଆ ନୀତି ଓ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିବା ବେଳେ, ଆବେଦନ ପ୍ରକ୍ରିୟା ଓ ଅନୁମୋଦନ ସମୟସୀମାକୁ ସରଳ କରାଯାଇଛି।