ଅଙ୍ଗନୱାଡି ସୁପର୍‌ଭାଇଜର୍‌ଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ

ଭୁବନେଶ୍ବର:  କ୍ୟାବିନେଟ୍‌ରେ  ବୁଧବାର ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହୋଇଛି । ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା  ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି, ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ୍ ପରିବର୍ତ୍ତେ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପୂର୍ବରୁ ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା  ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ମୋଟ୍‌ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବକୁ ଆଲୋଚନା ପରେ ଅନୁମୋଦନ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଏଥିସହିତ ସରକାର ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି କ୍ୟାଡର ପୁନଃଗଠନ ହେବ। ଏଥିସହିତ ୨୪ ନୂଆ ପଦବୀ ସୃଷ୍ଟି କରାଯିବାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଅବକାରୀ କନଷ୍ଟେବଳ ଡିଭିଜନ ବଦଳାଯାଇ ଜିଲା କ୍ୟାଡର କରାଯାଇଛି। ୧୦୮ କୋଟି ଟଙ୍କା ବ୍ୟୟ ବରାଦରେ ବୈତରଣୀ ବାମ ଓ ଡାହାଣ କେନାଲ କାର୍ଯ୍ୟ ହେବ। ଏଥିସହିତ ଭଦ୍ରକ, ବାଲେଶ୍ବର, କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଆଗାମୀ ୫ ବର୍ଷ ପାଇଁ ୧୦୮ ସେବା ପାଇଁ ୨୩୯୮ କୋଟି ଟଙ୍କା ମଞ୍ଜୁରୀ କରାଯାଇଥିବା ମନୋଜ ଆହୁଜା ସୂଚନା ଦେଇଛନ୍ତି।