ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ସୋମବାର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ ୨୦୨୩ର ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଶିକ୍ଷା ଓ ଅନୁସଂଧାନ ବିଶ୍ବବିଦ୍ୟାଳୟ ୨୬ତମ ସ୍ଥାନରେ ଥିବାବେଳେ କିଟ୍ ୨୯ ତମ ଓ ଏନଆଇଟି ରାଉରକେଲା ୩୭ତମ ଓ ଆଇଆଇଟି ରାଉରକେଲା ୯୧ତମ ସ୍ଥାନରେ ରହିଛି ।
ବିଶ୍ବବିଦ୍ୟାଳୟ ବର୍ଗରେ ସୋଆ ୧୫ ତମ ସ୍ଥାନରେ ଥିବାବେଳେ କିଟ୍ ୧୬ତମ ସ୍ଥାନରେ ରହିଛି । ସେହିପରି ଏନଆଇଟି ରାଉରକେଲା ଜାତୀୟ ସ୍ତରରେ ୧୬ତମ ସ୍ଥାନ ସହ ଓଡ଼ିଶାର ଶ୍ରେଷ୍ଠ ଇଂଜିନିୟରିଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି । ମ୍ୟାନେଜମେଣ୍ଟ ବର୍ଗରେ ଜାଭିଏର ବିଶ୍ବବିଦ୍ୟାଳୟ ୪୬ ତମ ସ୍ଥାନରେ ରହିଛି ଓ ଓଡ଼ିଶାର ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଅନୁଷ୍ଠାନର ମାନ୍ୟତା ପାଇଛି । ମେଡିକାଲ କଲେଜ ବର୍ଗରେ ସୋଆ ୧୬ ତମ ସ୍ଥାନରେ ଓ ଏମ୍ସ ଭୁବନେଶ୍ବର ୧୭ତମ ସ୍ଥାନରେ ରହିଛି ।
ଚଳିତ ବର୍ଷ ଆଇଆଇଟି ମାଡ୍ରାସ ସାମଗ୍ରିକ ମାନ୍ୟତାରେ ଶୀର୍ଷରେ ରହିଛି। ମେଡିକାଲ କଲେଜ ତାଲିକାରେ ଦିଲ୍ଲୀ ଏମ୍ସ ପ୍ରଥମ, ଚଣ୍ଡିଗଡ଼ର ପିଜିଆଇଏମ୍ଇଆର୍ ଦ୍ବିତୀୟ ଏବଂ ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶ୍ରେଷ୍ଠ ମହାବିଦ୍ୟାଳୟ ଓ ଶ୍ରେଷ୍ଠ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଓ ପରିଚାଳନା ଓ ଫାର୍ମା କଲେଜ ଆଦି ଉପବର୍ଗରେ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକର ମାନ୍ୟତା ରହିଛି ।
ଏହି ରାଙ୍କିଙ୍ଗ ତାଲିକା ଏନଆଇଆରଏଫର ଅଫିସିଆଲ ୱେବସାଇଟରେ ଉପଲବ୍ଧ । ଏହି ମାନ୍ୟତା ଢାଞ୍ଚାରେ ଶିକ୍ଷାଦାନ, ଶିକ୍ଷଣ ଏବଂ ସମ୍ବଳ (ଟିଏଲଆର), ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକ ଫଳାଫଳ (ଜିଓ), ଆଉଟରିଚ୍ ଏବଂ ଅନ୍ତର୍ଭୁକ୍ତୀକରଣ (ଓଆଇ) ଏବଂ ଧାରଣା (ପିଆର)ର ମାନଦଣ୍ଡର ପାଞ୍ଚଟି ବ୍ୟାପକ ସାଧାରଣ ମାନଦଣ୍ଡ ଅଧୀନରେ ଅନୁଷ୍ଠାନଗୁଡ଼ିକୁ ମାନ୍ୟତା ଏବଂ ତାଲିକାଭୁକ୍ତ କରାଯାଇଛି ।