ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ ସୃଷ୍ଟି ହୋଇଛି। କୋଲକାତାରେ ୫ଜଣ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଥିବା ସୂଚନା ମିଳିଛି। ତେବେ ଦୁଇଜଣ ନର୍ସଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଇଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମିଶି ପଦକ୍ଷେପ ନେଉଛନ୍ତି। ପ୍ରାୟ ୨ଶହ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ତାଙ୍କ ଉପରେ ନିକଟ ନଜର ରଖାଯାଇଛି। ନିପା ଭାଇରସ୍ ଏକ ଅତ୍ୟନ୍ତ ବିପଜ୍ଜନକ ଭାଇରସ୍, ଯାହା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏହି ଭାଇରସ୍ରେ ମୃତ୍ୟୁ ହାର ୪୦ ଶତାଂଶରୁ ୭୫ ଶତାଂଶ ପର୍ଯ୍ୟନ୍ତ ରହିଥାଏ। ଏପର୍ଯ୍ୟନ୍ତ ଏହାର କୌଣସି ନିର୍ଦ୍ଦିଷ୍ଟ ଟିକା ବା ଔଷଧ ଉପଲବ୍ଧ ନଥିବାରୁ ଏହା ଅଧିକ ଚିନ୍ତାଜନକ। ଭାଇରସ୍ ସଂସ୍ପର୍ଶରେ ଆସିବାର ୪ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ। ପ୍ରାଥମିକ ଲକ୍ଷଣରେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଓ ଗଳା କୁଣ୍ଡେଇ ହେବା ଦେଖାଯାଏ। ପରବର୍ତ୍ତୀ ଅବସ୍ଥାରେ ଶ୍ୱାସକଷ୍ଟ, ମୁଣ୍ଡ ବୁଲିବା, ମାନସିକ ସନ୍ତୁଳନ ହରାଇବା ଏବଂ ବ୍ରେନ୍ ଇନଫେକ୍ସନ୍ ହୋଇ କୋମାକୁ ଯିବାର ଆଶଙ୍କା ଥାଏ।
ନିପା ଭାଇରସ୍ର ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ଅବସ୍ଥା ଅନୁଯାୟୀ ଚିକିତ୍ସା କରାଯାଏ। ଜ୍ୱର ଓ ଯନ୍ତ୍ରଣା କମାଇବା, ଶରୀରରେ ଜଳୀୟ ଅଂଶ ଠିକ୍ ରଖିବା ଉପରେ ଚିକିତ୍ସା କେନ୍ଦ୍ରିତ ରହେ। ବାଦୁଡ଼ି ଖାଇଥିବା ବା ଚାଟିଥିବା ଖଜୁରୀ ରସ ଓ ଅପରିଷ୍କୃତ ଫଳ ମାଧ୍ୟମରେ ଏହି ଭାଇରସ୍ ବ୍ୟାପିବାର ସମ୍ଭାବନା ସବୁଠାରୁ ଅଧିକ। ତେଣୁ ଫଳ ଭଲଭାବେ ଧୋଇ ଖାଇବା, ଗଛରୁ ପଡ଼ିଥିବା ବା ପକ୍ଷୀ ଖାଇଥିବା ଫଳ ନଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ସଂକ୍ରମଣରୁ ବର୍ତ୍ତିବାକୁ ସାବୁନରେ ବାରମ୍ବାର ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନ ରହିବା ଏବଂ ଜ୍ୱର କିମ୍ବା ଶ୍ୱାସକଷ୍ଟ ଲକ୍ଷଣ ଦେଖାଦିଲେ ନିଜେ ଔଷଧ ନଖାଇ ତୁରନ୍ତ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ନିପା ଭାଇରସ୍ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରୀ ନିୟମ ମାନିବା ଏବଂ ଗୁଜବରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ କରିଛି।