ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ବାରା ବେଧଡକ ଭାବେ ହେଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ବାଲି ଏବେ ଧଳା ହୀରା ହୋଇଛି । ସୁନା ମିଳି ଯାଉଛି ହେଲେ ବାଲି ମିଳୁନାହିଁ । ନିର୍ମାଣ ଯୁଗରେ ବାଲିର ଚାହିଦା ବଢି ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ତହସିଲ ଅଧିନସ୍ଥ ରାମଵେଡା ରାଜସ୍ବ ଗ୍ରାମ ସନ୍ନିକଟ ରାମବେଡା ନଦୀଘାଟର ବାଲି ଉତ୍ତୋଳନ ପାଇଁ ଚଳିତ ବର୍ଷ ନିଲାମ ହୋଇନାହିଁ । ଯାହାର ସୁଯୋଗ ନେଇଛନ୍ତି ଆନ୍ତଃ ରାଜ୍ୟ ବାଲି ମାଫିଆ ରାକେଟ । ପ୍ରଶାସନ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଛି । ରାତିସାରା ଭାରିଯାନ ଦ୍ଵାରା ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ କରାଯାଉଛି ।ବାଲି ଚୋରା ଚାଲାଣ ଦ୍ବାରା ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଅନ୍ଧାର ରାତିରେ ଭାରିଯାନ ଦ୍ବାରା ବାଲି ଚୋରା ଚାଲାଣ ଯୋଗୁଁ ରାସ୍ତାଘାଟ ନଷ୍ଟ, ଧନ ଜୀବନ କ୍ଷୟକ୍ଷତି , ଛୋଟ ବଡ଼ ଦୁର୍ଘଟଣା ଘଟିବା , ଗ୍ରାମବାସୀଙ୍କ କାନ୍ଥରେ ଭାଇବ୍ରେସନ ଯୋଗୁଁ ନଷ୍ଟ ହେଉଛି । ଗ୍ରାମବାସୀମାନେ ଅଭିଯୋଗ କଲେ ମାଫିଆମାନେ ଗ୍ରାମବାସୀଙ୍କ ଙ୍କୁ ଧମକ ଚମକ ଦେଉଛନ୍ତି । ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାକୁ ନେଇ ରାମଵେଡା ଗ୍ରାମବାସୀମାନେ ତିରିଂ ତହସିଲଦାର ଚାରୁଲତା ସିଂଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ଉପରେ ଅଙ୍କୁଶ ଲଗାଇବା ସହ ମାଫିଆମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଏହାଉପରେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ । ଦାବିପତ୍ର ପ୍ରଦାନ ସମୟରେ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ଦଳିତ ସେଲ ସଭାପତି ଭାଗିରଥି ପାତ୍ର,ରାମଵେଡା ଗ୍ରାମର ସମାଜସେବୀ ମୁରୁମ କାଲୁଣ୍ଡିଆ, ମାନସିଂହ କାଲୁଣ୍ଡିଆ, କୃଷ୍ଣଚନ୍ଦ୍ର କାଲୁଣ୍ଡିଆ ଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଆଗକୁ ଯଦି ବେଧଡକ ଚୋରା ବାଲି ଚାଲାଣ ବନ୍ଦ ନ ହୁଏ ତାହାହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ ଜଣାଇଛନ୍ତି ।