ଆସନ୍ତା ୫ ତାରିଖ ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ

ଭୁବନେଶ୍ୱର : ଆସନ୍ତା ୫ ତାରିଖ ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ତିନିଟି ଜିଲ୍ଲା ଗସ୍ତ କରିବା ସହ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ରୋଡ଼ ସୋ କରିବେ। ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କର 8 ଟି କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ 5 ଟି କାର୍ଯ୍ୟକ୍ରମ ସହ ନୂଆପଡା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ରବିବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ପାର୍କରେ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ତା’ ପରେ ଏୟାରପୋର୍ଟ ଛକରେ ନବ ନିର୍ମିତ ବିଜୁ ଜନତା ଦଳର କାର୍ଯ୍ୟାଳୟର ତୃତୀୟ ଓ ଚତୁର୍ଥ ମହଲା ଉଦଘାଟନ କରିବେ।  ସେଠାରୁ ଭୁବନେଶ୍ୱର ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା କୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରାଯିବ। ଏହାପରେ ଓଡିଶାରୁ ଦୁବାଇ ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ପଶ୍ଚିମ ଓଡିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାର ବରଗଡ଼, କଳାହାଣ୍ଡି ଓ ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ଓ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି । ବରଗଡ଼ର ସୋହେଲା ସମେତ ନୂଆପଡ଼ା, କଳାହାଣ୍ଡିର ଜୁନାଗଡ଼ ଓ ଆମ୍ବପାଣି ଆଦି 4ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ଦ୍ଵାରା ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । 2023 ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମ ପଶ୍ଚିମ ଓଡିଶା ଗସ୍ତ ହେବ ।ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଳ ପଡିଆରେ ପହଞ୍ଚିବେ । ସେଠାରେ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିଜୁ ଏକ୍ସପ୍ରେସ ୱେ ଦେଇ ରୋଡ଼ ସୋ ଯୋଗେ କୋକସରା ବ୍ଲକ ଅନ୍ତର୍ଗତ ଆମପାଣିରେ ପହଞ୍ଚିବା ପରେ ଏକ ବୈଠକରେ ଯୋଗ ଦେବେ । ଆମପାଣିରେ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନପାଲିରେ 182 କୋଟି ଟଙ୍କାରେ ନିର୍ମିତ ଦୀର୍ଘ 71 କିଲୋମିଟର ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ପ୍ରାୟ 3 କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ଧର୍ମଗଡ଼ ସରକାରୀ ବସଷ୍ଟାଣ୍ଡ ଓ 7 କୋଟି 84 ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ ।

ଏହା ପରେ ନୂଆପଡ଼ା ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ । ଏହା ପରେ ସିନାପାଲି ଅଭିମୁଖେ ଏକ ସ୍ୱତନ୍ତ୍ର ବସ ଯୋଗେ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଗସ୍ତ କରିବେ । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା 546 କିମି ଦୌର୍ଘ୍ୟ ବିଶିଷ୍ଟ 4 ଲେନ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସେଥିରୁ 2022-23ରେ 600 କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡ଼ା ଘାଟିପଡ଼ାରୁ ଆମପାଣି ପର୍ଯ୍ୟନ୍ତ 176 କିମି ରାସ୍ତାର ନିର୍ମାଣ ଶେଷ ହୋଇଛି । ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ 121 କିମି ପର୍ଯ୍ୟନ୍ତ ରାସ୍ତା ରହିଛି । ଅନ୍ୟପଟେ ନୂଆପଡ଼ା ଏବଂ ଖରିଆର ରୋଡ଼ରେ ନବ ନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।