ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି

ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ଯାହାକି ୨୦୨୬ରୁ ୨୦୨୯ ଯାଏ କାର୍ଯ୍ୟକାରୀ ହେବ । ଏହା ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ । ସଂସ୍କୃତି ଦୃଷ୍ଟିରୁ ବଡ଼ଦାଣ୍ଡରେ କିମ୍ବା ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ କୌଣସି ମଦ ଦୋକାନ ରହିବ ନାହିଁ । ଗ୍ରାମାଞ୍ଚଳରେ ଖୋଲାଯିବ ନାହିଁ ନୂଆ ଠିପି ଖୋଲା ମଦ ଦୋକାନ । କେବଳ ସହରାଞ୍ଚଳରେ ତିନି ତାରକା ହୋଟେଲରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ଅନୁମୋଦନ ମିଳିବ । ପ୍ରତି ଜିଲ୍ଲାରେ ଡି ଆଡିକ୍ସନ ସେଣ୍ଟର ଖୋଲାଯିବ ।

ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି । ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ଵଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି । ଏହା ସହିତ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରିବାର ପ୍ରକ୍ରିୟା ମଧ୍ୟ ରଖୁଛନ୍ତି । ଏହି ନୀତି ଅଧୀନରେ ଏକ ଗୁରୁତ୍ଵପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍‌ରୁ ଆସୁଥ‌ିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ ।