ଭାରତ ନେପାଳ ଲୋକଙ୍କ ସହ ସବୁବେଳେ ଅଛି , ସବୁ ପ୍ରକାର ସାହାଯ୍ୟ କରିବ…

“ନେପାଳର ଲୋକଙ୍କ ସହ ଭାରତ ଏକତାର ସହ  ଛିଡା ହେଇଛି ଏବଂ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ଅଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।” ଏହା ହେଉଛି ନେପାଳ ଭୂକମ୍ପ ସମ୍ପର୍କରେ ପିଏମ ମୋଦୀ X ରେ ପୋଷ୍ଟ କରିଥିବା ବାର୍ତ୍ତା ।

ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଗୁରୁତର ରହିଛନ୍ତି। ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ବହୁ ଅଟ୍ଟାଳିକା ଓ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରାଯାଉଛି। ଭଗ୍ନାବଶେଷ ତଳେ ଆହୁରି ଲୋକ ମିଳୁଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ନ୍ୟାସ୍‌ନାଲ୍‌ ଆର୍ଥକ୍ବେକ୍‌ ମେଜର୍‌ମେଣ୍ଟ୍‌ ସେଣ୍ଟର୍‌ର ଅଧିକାରୀମାନେ କହିବା ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଜାଜରକୋଟ୍‌ ଜିଲ୍ଲା ଅନ୍ତର୍ଗତ ଲାମିଡାଣ୍ଡା ଅଞ୍ଚଳ। ଗତରାତି ୧୧.୩୨ରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।