ଝାଡଖଣ୍ଡରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅବହେଳା ଅଭିଯୋଗ

0

ରାଇରଙ୍ଗପୁର : ପଡୋଶୀ ଝାଡଖଣ୍ଡ ରାଜ୍ୟ ଚାଇଁବସାସ୍ଥ କୋହ୍ଲାନ ବିଶ୍ବବିଦ୍ୟାଳୟରେ ୨୦୨୨-୨୪ ଶିକ୍ଷା ବର୍ଷରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କୁ ପ୍ରଥମ ସେମିଷ୍ଟରରେ ୩୫ଜଣଙ୍କ ମଧ୍ୟରୁ ୨୧ ଜଣଙ୍କୁ ବିଭିନ୍ନ ଧମକଚମକ ଦେଇ ଫେଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପ୍ରତ୍ୟେକ ସେମିଷ୍ଟରରେ ଉକ୍ତ ରାଜ୍ୟର ଛାତ୍ରଛାତ୍ରୀ ଫେଲ ହେବେ ବୋଲି ଓଡ଼ିଆ ବିଭାଗର ପ୍ରଫେସର ମାନେ ଧମକ ଦେଇଥିବା ଅଭିଯୋଗ। ଇଣ୍ଟରନାଲ ମାର୍କକୁ ବିଚାରକୁ ନିଆଗଲେ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଅନ୍ୟ କଲେଜରେ ଇଣ୍ଟରନାଲ ମାର୍କ ୩୦ ରୁ ୨୮/୨୯ ରଖୁଥିବା ବେଳେ ବିଶ୍ଵବିଦ୍ୟାଳୟର ଓଡ଼ିଆ ଛାତ୍ରଛାତ୍ରୀମାନେ ୧୨ରୁ ୧୩ ମାର୍କ ରଖୁଛନ୍ତି। ଏ ସମସ୍ତ ବିଷୟ ନେଇ ଝାଡଖଣ୍ଡ ରାଜ୍ୟପାଳ ଏବଂ ବିଶ୍ଵବିଦ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇବା ସତ୍ତ୍ୱେ କୌଣସି କାର୍ଯାନୁଷ୍ଠାନ କରାଯାଉନାହିଁ।

ବିଚ୍ଛିନ୍ନାଞ୍ଚଳ ଅଞ୍ଚଳରେ ଓଡ଼ିଆ ଭାଷାକୁ ବଞ୍ଚାଇବା ପରିବର୍ତ୍ତେ ବିଲୋପ କରିଦେବା ପାଇଁ ଓଡ଼ିଆ ବିଭାଗର ପ୍ରଫେସରମାନେ ଶତପ୍ରତିଶତ ଚେଷ୍ଟା କରୁଥିବା ନେଇ ଉପରୋକ୍ତ ଅଭିଯୋଗ ପ୍ରମାଣ କରୁଛି । ଏନେଇ ଓଡ଼ିଶାର ରାଜ୍ୟପାଳ ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ୟା ଜାଣିଥିଲେ ।

ଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଆ ସଂଗଠନର କର୍ମକର୍ତ୍ତା ବିକାଶ ନାୟକ, ସରୋଜ ପ୍ରଧାନ, ସତ୍ୟ ପ୍ରକାଶ କର ଏବଂ ବିଶ୍ଵବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ପ୍ରଧାନ, ନିରୁ ପ୍ରଧାନ ସମେତ ଝାଡଖଣ୍ଡର ଅନ୍ୟ ଛାତ୍ରଛାତ୍ରୀ ଏବଂ ୟୁଏସ୍ଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ଶତପଥୀ, ପିଙ୍କି ଶତପଥୀ, ଆନନ୍ଦ ବିନ୍ଧାଣୀ,କାରିଆ ମାଝୀ, ଘନଶ୍ୟାମ ପିଙ୍ଗୁଆ, କିଶୋର କୁମାର ବେହେରା ଓ ରାଧାକାନ୍ତ ମାଝୀ ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଉକ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳରୁ ସମ୍ପୂର୍ଣ୍ଣଭାବେ ଓଡ଼ିଆ ଭାଷା ଲୋପ ପାଇଯିବ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ପୂର୍ବରୁ ଝାଡଝଣ୍ଡ ରାଜ୍ୟ ବିଚ୍ଛିନ୍ନାଞ୍ଚଳରେ ହେଉଥିବା ବିଭିନ୍ନ ପରୀକ୍ଷାରେ ମଧ୍ୟ ଓଡିଆ ଭାଷାରେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ ପରୀକ୍ଷାର୍ଥୀ।