ନିଟ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଟ ପିଜି ୨୦୨୧ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରୀକ୍ଷା ଏପ୍ରିଲ ୧୮ ତାରିଖରେ ହେବାକୁ ଥିଲା । ପରବର୍ତ୍ତୀ ସମୟରେ ନିଟ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଟ୍ୱିଟକରି ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ବୁଧବାର ଦିନ କେନ୍ଦ୍ର ସରକାର ସିବିଏସଇ ଦଶମ ପରୀକ୍ଷା ବନ୍ଦ କରିଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ହର୍ଷବର୍ଦ୍ଧନ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି କି, ଆମ ଯୁବ ମେଡିକାଲ ଛାତ୍ରଙ୍କ ଜୀବନକୁ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ନିଆଯାଇଛି ।
ଦେଶରେ ହଠାତ୍ କୋଭିଡ-୧୯ର ଦ୍ୱିତୀୟ ଲହରରେ ବ୍ୟାପକ ସଂକ୍ରମଣ ପାଇଁ ଦେଶର ୧୧ ଜିଲ୍ଲାରେ ସ୍କୁଲଗୁଡିକୁ ବନ୍ଦ କରିବା ସହ ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା ହୋଇଛି । ଯାତାୟାତରେ ବହୁ କ୍ଷେତ୍ରରେ ପ୍ରତିବନ୍ଧକ ଲାଗିଥିବାରୁ କିିଛି ନିଟ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ରାଜ୍ୟ ବାହାରେ ପଡିଥିବାରୁ ସେମାନେ ବହୁ ଚାପରେ ରହିଛନ୍ତି ।