ନୂଆଦିଲ୍ଲୀ: ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁରର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶବ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି କହିଛନ୍ତି ମୋଦି ।

ମୋଦି ଆହୁରି କହିଛନ୍ତି, ମଣିପୁର ଏକ ସୀମାନ୍ତ ରାଜ୍ୟ, ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣ ଅସୁବିଧାରେ । ମଣିପୁରରେ ରାସ୍ତା ଓ ରେଳପଥ ପାଇଁ ବଜେଟ୍ ବୃଦ୍ଧି କରାଯାଇଛି । ଗାଁଗୁଡ଼ିକୁ ରାସ୍ତା ସହ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଇଛି । ମଣିପୁରରେ NH ପାଇଁ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ନୂଆ ରାଜପଥ ନିର୍ମାଣ ପାଇଁ ୮,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୭-୮ ବର୍ଷ ପୂର୍ବେ ମାତ୍ର ୨୫-୩୦ ହଜାର ଘରେ ପାଇପ୍ ଜଳ ପହଞ୍ଚୁଥିଲା । ଆଜି ୩.୫ ଲକ୍ଷରୁ ଅଧିକ ଘରେ ନଳରୁ ଜଳ ଯୋଗାଣର ସୁବିଧା ମିଳୁଛି ବୋଲି କହିଛନ୍ତି ମୋଦି ।

ମଣିପୁରରେ ଜାତିଗତ ସଂଘର୍ଷର ଦୁଇ ବର୍ଷରୁ ଅଧିକ ସମୟ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ପହଞ୍ଚିଛନ୍ତି । ମଣିପୁର ବିମାନମନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ସିଧା ଚୁରାଚାନ୍ଦପୁରରେ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି । ଯାହା ୨୦୨୩ ହିସାଂ କେନ୍ଦ୍ରସ୍ଥଳ ଥିବା ବେଳେ ଏଥିରେ ପ୍ରାୟ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହିତ ମୋଦି ମଣିପୁରରେ ପହଞ୍ଚିବା ପରେ ପ୍ରବଳ ବର୍ଷା ଯୋଗୁଁ ଇମ୍ଫାଲ ବିମାନବନ୍ଦରରୁ ୬୫ କିଲୋମିଟର ରାସ୍ତା ଯୋଗେ ଯାତ୍ରା କରି, ଚୁରାଚାନ୍ଦପୁରର ଶାନ୍ତି ଭୂମିରେ ରିଲିଫ୍ ଶିବିରରେ ବୃଦ୍ଧ ଏବଂ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କ ସହିତ ରାଜ୍ୟପାଳ ଅଜୟ କୁମାର ଭଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ଆଜି ମୋଦି ଚୁରାଚାନ୍ଦପୁରରେ, ୭୩୦୦ କୋଟି ଟଙ୍କାର ୧୪ଟି ପ୍ରମୁଖ ବିକାଶ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ, ଯେଉଁଥିରେ ଡ୍ରେନେଜ୍ ସୁବିଧା, ମହିଳା ଛାତ୍ରାବାସ, ସ୍କୁଲ ଏବଂ ସୁପର-ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଅନ୍ତର୍ଭୁକ୍ତ।