ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଦ୍ବାରା ଆଦିବାସୀ ଭାଇ ଓ ଭଉଣୀଙ୍କ ବିକାଶକୁ ରୋକି ପାରିବେ ନାହିଁ

ବ୍ୟୁରୋ-: ଛତିଶଗଡ଼ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକ୍ସଲ ସଂଗଠନକୁ ଅପିଲ୍ । ଅମିତ ଶାହା ଦନ୍ତେୱାଡ଼ାର ମା’ ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରି ‘ବସ୍ତର ପଣ୍ଡୁମ୍’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ସମୟରେ ଅମିତ ଶାହା କହିଛନ୍ତି ଯେ, ଆଜି ଚୈତ୍ର ନବରାତ୍ରୀର ଅଷ୍ଟମୀ । ମୁଁ ମା’ ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ଆଣିଛି ଯେ, ପରବର୍ତ୍ତୀ ଚୈତ୍ର ନବରାତ୍ରୀରେ ବସ୍ତରରୁ ଲାଲ ଆତଙ୍କ ଶେଷ ହେବ ଏବଂ ବସ୍ତର ସମୃଦ୍ଧ ହେବ ।

ଏହି ଅବସରରେ ଅମିତ ଶାହା ନକ୍ସଲମାନଙ୍କୁ ନିବେଦନ ସ୍ବରରେ କହିଛନ୍ତି, କେହି ଜଣେ ବି ନକ୍ସଲ ଯେତେବେଳେ ଟଳିପଡେ ବା ତାକୁ ହତ୍ୟା କରାଯାଏ ସେତେବେଳେ ମତେ ଭାରି କଷ୍ଟ ହୁଏ । ପ୍ରଧାନମନ୍ତ୍ରୀ ମୋଦୀ ଚାହାଁନ୍ତି ବସ୍ତରର ବିକାଶ ହେଉେ ଆଉ ତାହା ସେତେବେଳେ ସମ୍ଭବ ହେବ ଯେତେବେଳେ ତୁମୋନେ ହିଂସାର ପଥ ଛାଡି ଶାନ୍ତିର ପଥ ଗ୍ରହଣ କରିବ। ଆମେ ଚାହୁଁ ପ୍ରତି ଗାଁରେ ଡାକ୍ତରଖାନା, ପ୍ରତି ଗାଁରେ ସ୍କୁଲ, ପ୍ରତି ଘରେ ୭ କିଲୋ ଚାଉଳ, ଆଧାର କାର୍ଡ, ରେସନ କାର୍ଡ, ସ୍ୱାସ୍ଥ୍ୟ ବୀମା ରହୁ । ହେଲେ ଏହା ସେତେବେଳେ ହିଁ ସତ ହୋଇପାରେ ଯେତେବେଳେ ବସ୍ତରର ଯୁବକମାନେ ଭାବିବେ ଯେ ବସ୍ତର ନକ୍ସଲ ମୁକ୍ତ ହେବା ଉଚିତ୍ ବୋଲି । ମୁଁ ସମସ୍ତ ନକ୍ସଲ ଭାଇମାନଙ୍କୁ ଅନୁରୋଧ କରିବାକୁ ଆସିଛି, ତୁମେ ତୁମର ଅସ୍ତ୍ର ତ୍ୟାଗକର, ସମାଜର ମୁଖ୍ୟ ସ୍ରୋତକୁ ଆସ, ଏହି କ୍ଷେତ୍ରର ବିକାଶ ପାଇଁ ଏହା ଆବଶ୍ୟକ ।

 କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, “ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଦ୍ବାରା ଆଦିବାସୀ ଭାଇ ଓ ଭଉଣୀଙ୍କ ବିକାଶକୁ ରୋକି ପାରିବେ ନାହିଁ । ଏଥିପାଇଁ ସମ୍ପୂର୍ଣ୍ଣ ହୃଦୟରୁ ଅପିଲ କରାଯାଇଛି । ବିକାଶ ପାଇଁ ହାତରେ ବନ୍ଧୁକର ଆବଶ୍ୟକତା ନାହିଁ, କମ୍ପ୍ୟୁଟର ଦରକାର।” ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନେ ମୁଖ୍ୟ ସ୍ରୋତକୁ ଆସିବେ ଏବଂ ଅସ୍ତ୍ରଶସ୍ତ୍ର ଧରିଥିବା ଲୋକଙ୍କୁ ସୁରକ୍ଷାକର୍ମୀମାନେ ଜବାବ ଦେବେ ।