ଦେଶବ୍ୟାପୀ HPV ଟିକାକରଣ ଅଭିଯାନ ଆରମ୍ଭ, ଓଡ଼ିଶାରେ ୨୮ ଫେବ୍ରୁଆରୀରୁ ଶୁଭାରମ୍ଭ

ନୂଆଦିଲ୍ଲୀ: ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସର (ଗର୍ଭାଶୟ ମୁଖ କର୍କଟ)ରୁ ସୁରକ୍ଷା ପାଇଁ ଶୀଘ୍ର ସାରା ଦେଶରେ HPV (Human Papilloma virus) ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।ଓଡ଼ିଶାରେ ଆସନ୍ତା ୨୮ ଫେବ୍ରୁଆରୀରୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ Mukesh Mahaling ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀମାନଙ୍କୁ ଏକକ (ସିଙ୍ଗିଲ) ଡୋଜ୍ ଟିକା ପ୍ରଦାନ କରାଯିବ। ୧୪ ବର୍ଷରୁ ଉର୍ଦ୍ଧ୍ୱ ଓ ବିବାହ ପୂର୍ବ ଯୁବତୀମାନଙ୍କୁ ତିନୋଟି ଡୋଜ୍ ଦିଆଯିବ। ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ପ୍ରତିବର୍ଷ ଦେଶର ପ୍ରାୟ ୧.୧୫ କୋଟି ୧୪ ବର୍ଷ ବୟସ୍କ କିଶୋରୀଙ୍କୁ ମାଗଣାରେ ଏହି ଟିକା ଦିଆଯିବ। ସମସ୍ତ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ଉପଲବ୍ଧ ହେବ।

‘ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର’ ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଏହି ସ୍ୱେଚ୍ଛାକୃତ ଟିକାକରଣ ଅତ୍ୟନ୍ତ ଜରୁରୀ। ପରିସଂଖ୍ୟାନ ଅନୁଯାୟୀ ଭାରତରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ସର୍ଭାଇକାଲ କ୍ୟାନ୍ସର ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରାୟ ୪୨ ହଜାରରୁ ଅଧିକ ମହିଳା ଏହି ରୋଗରେ ପ୍ରାଣ ହରାଉଛନ୍ତି। HPV ଭାଇରସର ଟାଇପ୍ ୧୬ ଓ ୧୮ ଏହି କ୍ୟାନ୍ସରର ପ୍ରମୁଖ କାରଣ। ସଠିକ୍ ସମୟରେ ଟିକାକରଣ ଓ ନିୟମିତ ସ୍କ୍ରିନିଂ ଦ୍ୱାରା ଏହାକୁ ରୋକାଯାଇପାରେ। ଏହି କାର୍ଯ୍ୟକ୍ରମରେ ସରକାର ‘Gardasil’ ନାମକ କ୍ୱାଡ୍ରିଭାଲେଣ୍ଟ HPV ଟିକା ବ୍ୟବହାର କରିବେ, ଯାହା HPV-୧୬, ୧୮, ୬ ଓ ୧୧ ପ୍ରକାରରୁ ସୁରକ୍ଷା ଦେଇଥାଏ। ଏହି ଟିକା ବିଶ୍ୱର ପ୍ରାୟ ୧୬୦ଟି ଦେଶରେ ପୂର୍ବରୁ ବ୍ୟବହୃତ ହୋଇଆସୁଛି ଏବଂ ସୁରକ୍ଷିତ ବୋଲି ପରିଚିତ। ଓଡ଼ିଶାରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଥିବା କାର୍ଯ୍ୟସୂଚୀ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଏହି ପଦକ୍ଷେପ ଦେଶରେ ସର୍ଭାଇକାଲ କ୍ୟାନ୍ସର ହାର କମାଇବାରେ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।