ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ଆଜି ଜାତୀୟ ଲୋକ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଦୌରା ଜଜ ରେଖା ପ୍ରସାଦଙ୍କ ତତ୍ତ୍ୱାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ମିଳିତ ଭାବରେ ୧୧,୫୬୩ ଗୋଟି ରାଜସ୍ୱ ମାମଲା ବିଚାର କରି ଜରିମାନା ବାବଦରେ ୧୯ଲକ୍ଷ ୬ ହଜାର ୫୧ ଟଙ୍କା ୩୪ ପଇସା ଏବଂ ବନ ଖଣ୍ଡ ଅଧିକାରୀଙ୍କ ଦ୍ୱାରା ୩୦ ଗୋଟି ମାମଲାର ବିଚାର କରି ଜରିମାନା ବାବଦକୁ ୧୮ ହଜାର ଟଙ୍କା ଆଦାୟ କରାଯାଇଥିଲା । ଏହି ଅଦାଲତରେ ମାଲକାନାଗିରି ଜିଲ୍ଲା ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ରେଖା ପ୍ରସାଦ, ଅତିରିକ୍ତ ଜିଲ୍ଲା ଜଜ ମୋହଲତ ସାହା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡଧାରୀ ବିଶ୍ୱ ରଞକଜନ ବେହେରା, ବରିଷ୍ଠ ଦେୱାନୀ, ବିଚାରପତି କମଳା କାନ୍ତ ରାଉତ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ରାକେଶ କୁମାର ମୁଦୁଲି, ରେଜିଷ୍ଟାର କ୍ରୁଷ୍ଣ ଚନ୍ଦ୍ର ନାୟକ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ନିଶାକର ସାହୁ ଓ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମକଦ୍ଦମାଗୁଡିକର ଫୈସଲା କରିଥିଲେ ।